ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ବିତୀୟ ପରାଜୟ, ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟରେ ହାରିଲା | News Room Odisha

ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ବିତୀୟ ପରାଜୟ, ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟରେ ହାରିଲା

ଦୁବାଇ: ଟି୨୦ ବିଶ୍ୱକପରେ ଭାରତର ପରାଜୟ ଧାରା ଜାରି ରହିଛି । ପାକିସ୍ତାନ ଠାରୁ ୧୦ ୱିକେଟରେ ଲଜ୍ଜାଜନକ ପରାଜୟ ପରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ୮ ୱିକେଟରେ ନ୍ୟୁଜିଲାଣ୍ଡ ଠାରୁ ହାରିଛି । କ୍ରମାଗତ ଦ୍ୱିତୀୟ ପରାଜୟ ପରେ ଭାରତର ସେମିଫାଇନାଲରେ ପହଞ୍ଚିବା ଆଶା କ୍ଷୀଣ ହୋଇଯାଇଛି । ଭାରତକୁ ଏବେ କୌଣସି ଚମତ୍କାର ହିଁ ସେମିରେ ପହଞ୍ଚାଇ ପାରିବ ।

ପାକିସ୍ତାନ ବିପକ୍ଷ ଶୋଚନୀୟ ପରାଜୟ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଠାରୁ ଉନ୍ନତ ପ୍ରଦର୍ଶନ ଆଶା କରାଯାଉଥିଲା । ହେଲେ ବ୍ୟାଟ୍ସମ୍ୟାନ୍ ପୁଣି ନିରାଶ କରିଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୧୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଭାରତର ପ୍ରଦର୍ଶନ ଏତେ ନିକୃଷ୍ଟ ଥିଲା ଯେ ଦଳର ଜଣେ ବି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ଟପି ପାରିନଥିଲେ । ୧୧୧ ରନର ବିଜୟଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମତ୍ର ୨ ୱକେଟ୍ ହରାଇ ୧୪.୩ ଓଭରରେ ହାସଲ କରିନେଇଥିଲା । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଟୁର୍ଣ୍ଣାମେଣ୍ଟରେ ପଏଣ୍ଟ ଖାତା ଖୋଲିଛି । ଏହାଛଡ଼ା ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ନିଜ ଅପରାଜେୟ ଧାରା ବଜାୟ ରଖିଛି । ଅନ୍ୟପକ୍ଷେ ଦ୍ୱିତୀୟ ପରଜୟ ସହ ଭାରତର ସେମିଫାଇନାଲ ପଥ କଠିନ ହୋଇଯାଇଛି । ଲଗାତାର ଦ୍ୱିତୀୟ ପରାଜୟ ପରେ ଭାରତ ଗ୍ରୁପ୍‌-୨ ପଏଣ୍ଟ ତାଲିକାରେ ନାମିବ୍ୟା ପଛକୁ ପଞ୍ଚମ ସ୍ଥାନକୁ ଖସିିଛି । ଭାରତ ଆଉ ୩ଟି ମ୍ୟାଚ୍ ଖେଳିବାକୁ ଥିବାବେଳେ ଏହି ସବୁ ମ୍ୟାଚ୍ ବୃହତ ବ୍ୟବଧାନରେ ଜିତିବାକୁ ପଡ଼ିବ । ଏହାଛଡ଼ା ନ୍ୟୁଜିଲାଣ୍ଡ ଗୋଟିଏ ଦୁଇଟି ମ୍ୟାଚ୍ ହାରିଲେ, ଭାରତର ପାଇଁ ସେମିଫାଇନାଲ ଦ୍ୱାର ଉନ୍ମୁକ୍ତ ହୋଇପାରିବ । କିନ୍ତୁ ଏହା କଷ୍ଟକର ମନେ ହେଉଛି ।
ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିୟମସନ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ । ଭାରତ ପକ୍ଷରୁ କେଏଲ ରାହୁଲଙ୍କ ସହ ରୋହିତ ଶର୍ମା ପରିବର୍ତ୍ତେ ଇଶାନ କିଶାନ୍ ଓପନ କରିବାକୁ ଆସିଥିଲେ । ଟିମ୍ ମ୍ୟାନେଜମେଣ୍ଟର ଏହି ନିଷ୍ପତ୍ତି ବିଶେଷଜ୍ଞ ଓ ପ୍ରଶଂସକଙ୍କୁ ଚକିତ କରିଥିଲା । ଏବଂ ଏହି ରଣନୀତି ମଧ୍ୟ ଫେଲ୍ ମାରିଥିଲା । କିଶାନ୍ ମାତ୍ର ୪ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଆଉଟ୍ ହୋଇଥିଲେ । ୱାନ୍ ଡାଉନରେ ଆସିଥିବା ରୋହିତ ସାମ୍ନା କରିଥିବା ପ୍ରଥମ ବଲରେ ଏକ ଜୀବନଦାନ ପାଇଥିଲେ । ବୋଲ୍ଟଙ୍କ ବଲରେ ଏକ ହୁକ୍ ସଟ୍ ଖେଳିଥିଲେ ରୋହିତ । ହେଲେ ଲେଗ୍ ସାଉଡ୍ ଫାଇନ୍ ଲେଗ୍ ଅଞ୍ଚଳରେ ଆଡାମ୍ ମିଲନେ ତାଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ ।

ରାହୁଲ ପୁଣିଥରେ ନିରାଶ କରିଥିଲେ । ସେ ମାତ୍ର ୧୮ ରନ୍ କରି ଟିମ୍ ସାଉଦିଙ୍କ ବଲରେ ଡାରିଲ ମିଚେଲଙ୍କୁ କ୍ୟାଚ୍ ଦେଇଥିଲେ । ତାଙ୍କୁ ମିଳିଥିବା ଜୀବନଦାନରୁ ରୋହିତ ଫାଇଦା ଉଠାଇ ପାରିନଥିଲେ । ଏକ ଖରାପ ସଟ୍ ଖେଳି ରୋହିତ ସ୍ପିନର ଇଶ ସୋଧିଙ୍କ ବଲରେ ଲଙ୍ଗ୍ ଅନ୍ ଅଞ୍ଚଳରେ କ୍ୟାଚ୍ ଆଉଟ୍ ହୋଇଥିଲେ । ପାକିସ୍ତାନ ବିପକ୍ଷରେ ଖାତା ଖୋଲିପାରିନଥିବା ରୋହିତ ଏଥର ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ୮ ଓଭର ବେଳକୁ ମାତ୍ର ୪୦ ରନରେ ୩ ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଅଧିନାୟକ କୋହଲିଙ୍କ ଠାରୁ ଏକ ଦାୟିତ୍ୱପୂର୍ଣ୍ଣ ଇନିଂସର ଆଶା କରାଯାଉଥିଲା । ହେଲେ ସେ ଆଶ୍ଚର୍ଯ୍ୟଜନକ ଭାବେ ଏକ ଦୁର୍ବଳ ସଟ୍ ଖେଳି ମାତ୍ର ୯ ରନ୍ କରି ସୋଧିଙ୍କ ଦ୍ୱିତୀୟ ଶିକାର ବନିଥିଲେ । ୧୦ ଓଭର ମଧ୍ୟରେ ଭାରତ ଟପ୍‌-୪ ବ୍ୟାଟ୍‌ସମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିଲା । ରିଷଭ ପନ୍ତ ମାତ୍ର ୧୨ ରନ୍ କରି ମିଲନେଙ୍କ ବଲରେ ବୋଲ୍ଡ ହୋଇଯିବା ପରେ ଭାରତ ଏକ ଚ୍ୟାଲେଞ୍ଜିଂ ସ୍କୋର କରିବା ଆଶା ମଉଳି ଯାଇଥିଲା ।