ରାଜ୍ୟପାଳଙ୍କ ପକ୍ଷ ଛେଦନ: ତାମିଲନାଡୁରେ ଏଣିକି ରାଜ୍ୟ ସରକାର କରିବେ କୁଳପତିଙ୍କ ନିଯୁକ୍ତି | News Room Odisha

ରାଜ୍ୟପାଳଙ୍କ ପକ୍ଷ ଛେଦନ: ତାମିଲନାଡୁରେ ଏଣିକି ରାଜ୍ୟ ସରକାର କରିବେ କୁଳପତିଙ୍କ ନିଯୁକ୍ତି

ଚେନ୍ନାଇ: ତାମିଲନାଡୁରେ ରାଜ୍ୟପାଳ ବଦଳରେ ଏଣିକି ରାଜ୍ୟ ସରକାର କୁଳପତି ମାନଙ୍କୁ ନିଯୁକ୍ତ କରିବେ । ଏ ସମ୍ବନ୍ଧରେ ଏକ ବିଲ୍ ସୋମବାର ତାମିଲନାଡୁ ବିଧାନସଭାରେ ପାରିତ ହୋଇଛି। ରାଜ୍ୟପାଳଙ୍କ କ୍ଷମତା ସଙ୍କୁଚିତ କରିବା ପାଇଁ ଏହା ତାମିଲନାଡୁର ସରକାରଙ୍କ ଏକ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।ବିଶ୍ୱବିଦ୍ୟାଳୟରେ କୁଳପତିମାନଙ୍କୁ ନିଯୁକ୍ତି ଦେବା କ୍ଷମତା ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ସଂକ୍ରାନ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ କେ.ପୋନମୁଦି ତାମିଲନାଡୁ ବିଶ୍ୱବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପାଇଁ ଏକ ବିଲ୍ ଆଗତ କରିଥିଲେ।

ଭାରତୀୟ ଜନତା ପାର୍ଟି ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବିଲକୁ ବିରୋଧ କରିଥିବାବେଳେ ମୁଖ୍ୟ ବିରୋଧୀ ଏଆଇଏଡିଏମକେ, କଂଗ୍ରେସ ବିଧାନସଭା ଦଳର ନେତା କ. ସେଲଭାପେରୁନ୍ଥଗୟୀ ଦିବଂଗତ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ବିଲ୍ ପାସ୍ ହେବା ପୂର୍ବରୁ ଓ୍ବାକ ଆଉଟ୍ କରିଥିଲେ ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବା ପାଇଁ ଗୃହର ସଦସ୍ୟମାନଙ୍କୁ ନିବେଦନ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘର-ରାଜ୍ୟ ଗୁଜରାଟରେ ମଧ୍ୟ କୁଳପତିଙ୍କ ନିଯୁକ୍ତି ରାଜ୍ୟପାଳଙ୍କ ଦ୍ୱାରା ନୁହେଁ ବରଂ ରାଜ୍ୟ ଦ୍ୱାରା କରାଯାଇଥାଏ। ତେଲେଙ୍ଗାନା ଏବଂ କର୍ଣ୍ଣାଟକ ସମେତ ଅନ୍ୟାନ୍ୟ ରାଜ୍ୟରେ ଏଭଳି ନିୟମ ରହିଛି |