ସିୟୁଇଟି ପ୍ରତ୍ୟାହାର ପାଇଁ ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ପାରିତ | News Room Odisha

ସିୟୁଇଟି ପ୍ରତ୍ୟାହାର ପାଇଁ ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ପାରିତ

ଚେନ୍ନାଇ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମରେ ଆଡମିଶନ ପାଇଁ ସମାନ ପ୍ରବେଶିକା ପରୀକ୍ଷା (ସିୟୁଇଟି) ବିରୋଧରେ ତାମିଲନାଡୁ ବିଧାନସଭା ସୋମବାର ଏକ ପ୍ରସ୍ତାବ ପାରିତ କରାଯାଇ ସିୟୁଇଟି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିରେ ପ୍ରବେଶିକା ପରୀକ୍ଷା ସହ ଜଡିତ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଏଥିରେ କୁହାଯାଇଛି ଯେ ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା (ନିଟ୍) ପରି ସିୟୁଇଟି ଦେଶର ବିବଧ ଶିକ୍ଷା ବ୍ୟବସ୍ଥାକୁ ଅଣଦେଖା କରିବ, ବିଦ୍ୟାଳୟରେ ସାମଗ୍ରିକ ବିକାଶ ଭିତ୍ତିକ ଦୀର୍ଘମିଆଦି ଶିକ୍ଷାର ପ୍ରାସଙ୍ଗିକତାକୁ ହ୍ରାସ କରିବ ଏବଂ ଛାତ୍ରମାନଙ୍କୁ ପ୍ରବେଶିକା ପରୀକ୍ଷାରେ ଉନ୍ନତି ପାଇଁ କୋଚିଂ କେନ୍ଦ୍ର ଉପରେ ନିର୍ଭରଶୀଳ କରିବାକୁ ବାଧ୍ୟ କରିବ |

ସିୟୁଇଟି ବିରୋଧରେ ତାମିଲନାଡୁ ବିଧାନସଭାରେ ପାରିତ ସଂକଳ୍ପରେ କୁହାଯାଇଛି ଯେ, ” ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ର ସିଲାବସ୍ ଉପରେ ଆଧାରିତ କୌଣସି ପ୍ରବେଶିକା ପରୀକ୍ଷା ବିଭିନ୍ନ ରାଜ୍ୟର ବୋର୍ଡର ପାଠ୍ୟକ୍ରମ ପଢିଥିବା ଛାତ୍ରଙ୍କୁ ସମାନ ସୁଯୋଗ ପ୍ରଦାନ କରିବ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ବିରୋଧ କରି ବିଜେପିର ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ । ମୁଖ୍ୟ ବିରୋଧୀ ଏଆଇଏଡିଏମକେ ଏବଂ ଶାସକ ଡିଏମକେର ସହଯୋଗୀ ଦଳ – କଂଗ୍ରେସ ଏବଂ ବାମପନ୍ଥୀ ଏହି ସଂକଳ୍ପକୁ ସମର୍ଥନ କରିଥିଲେ । ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି ବୋଲି ବାଚସ୍ପତି ଏମ ଆପାପୁ କହିଛନ୍ତି ।