ତାମିଲନାଡୁ: ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର ଆଦେଶ ସ୍ଥଗିତ ରଖିଲେ ରାଜ୍ୟପାଳ | News Room Odisha

ତାମିଲନାଡୁ: ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର ଆଦେଶ ସ୍ଥଗିତ ରଖିଲେ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ଆର.ଏନ୍ ରବି ରାଜ୍ୟ କ୍ୟାବିନେଟରୁ ମନ୍ତ୍ରୀ ଭି.ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର ଆଦେଶକୁ ସ୍ଥଗିତ ରଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଜଣାଇ ଦିଆଯାଇଛି ।

ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ରାଜ୍ୟପାଳ କହିଛନ୍ତି ଯେ ସେ ଏହି ପଦକ୍ଷେପ ସମ୍ପର୍କରେ ଆଟର୍ଣ୍ଣି ଜେନେରାଲଙ୍କ ସହ ପରାମର୍ଶ କରିବେ ଏବଂ ତାଙ୍କଠାରୁ ଆଇନଗତ ପରାମର୍ଶ ଲୋଡ଼ିବେ।

ସୂତ୍ରରୁ ପ୍ରକାଶ ଯେ ରାଜ୍ୟପାଳ ଦୁର୍ନୀତି ଅଭିଯୋଗରେ ଗିରଫ ମନ୍ତ୍ରୀ ବାଲାଜୀଙ୍କୁ କ୍ୟାବିନେଟରୁ ଗୁରୁବାର ବହିଷ୍କାର କରିଥିଲେ।

ପରବର୍ତ୍ତୀ ସମୟରେ ଷ୍ଟାଲିନ କହିଥିଲେ ଯେ ସରକାର ଏହାକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବେ।

ରାଜଭବନ ତରଫରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ମନ୍ତ୍ରିମଣ୍ଡଳରେ ଭି.ସେନ୍ଥିଲ ବାଲାଜୀଙ୍କୁ ବଜାୟ ରଖିଲେ ନିରପେକ୍ଷ ତଦନ୍ତ ସହ ଆଇନର ପ୍ରକ୍ରିୟା ଉପରେ ପ୍ରତିକୂଳ ପ୍ରଭାବ ପକାଇବ, ଯାହା ଦ୍ଵାରା ରାଜ୍ୟରେ ସାମ୍ବିଧାନିକ ତନ୍ତ୍ର ଭୁଶୁଡ଼ି ଯାଇପାରେ ।”

ଏଥିରେ କୁହାଯାଇଛି, “ସେନ୍ଥିଲ ବାଲାଜୀ ଚାକିରି ବଦଳରେ ନଗଦ ଟଙ୍କା ନେବା ଓ ମନି ଲଣ୍ଡରିଂ ଭଳି ଅନେକ ଦୁର୍ନୀତି ମାମଲାରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ମନ୍ତ୍ରୀ ପଦର ଅପବ୍ୟବହାର କରି ସେ ତଦନ୍ତକୁ ପ୍ରଭାବିତ କରୁଛନ୍ତି ଏବଂ ଆଇନ ଏବଂ ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି। ”

ସୂଚନାଯୋଗ୍ୟ, ଜୁନ୍ ୧୪ରେ ଇଡି ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଗିରଫ କରିଥିଲା। ଚେନ୍ନାଇ କୋର୍ଟ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ଜୁନ୍ ୨୮ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଥିଲେ।

ଗିରଫ ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ କାନ୍ଦିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା |

ବାଲାଜୀ ତାମିଲନାଡୁ ସରକାରରେ ଶକ୍ତି, ଅବକାରୀ ମନ୍ତ୍ରୀ ଅଛନ୍ତି।