'ଅର୍ଥମନ୍ତ୍ରୀ ଟମାଟୋ ଖାଆନ୍ତି ?' ଟମାଟୋ ଦର‌‌ ବୃଦ୍ଧି ନେଇ ନିର୍ମଳା ସୀତାରମଣଙ୍କୁ ଉଦ୍ଧବ ଗୋଷ୍ଠୀର କଟାକ୍ଷ | News Room Odisha

‘ଅର୍ଥମନ୍ତ୍ରୀ ଟମାଟୋ ଖାଆନ୍ତି ?’ ଟମାଟୋ ଦର‌‌ ବୃଦ୍ଧି ନେଇ ନିର୍ମଳା ସୀତାରମଣଙ୍କୁ ଉଦ୍ଧବ ଗୋଷ୍ଠୀର କଟାକ୍ଷ

ନୂଆଦିଲ୍ଲୀ: ଦେଶରେ ଟମାଟୋ ଦର‌‌ ହଠାତ୍ ଆକାଶଛୁଆଁ ହୋଇଛି । କିଲୋଗ୍ରାମ ପିଛା ୧୯-୨୦ ରୁ ଟମାଟୋ ଦାମ୍ ଏବେ ୮୦-୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଲୋକଙ୍କ ହାଣ୍ଡି ଶାଳରୁ ଟମାଟୋ ଉଭାନ ହୋଇଯାଇଛି । ଏହି ପ୍ରସଙ୍ଗରେ ମଙ୍ଗଳବାର ଉଦ୍ଧବ ଠାକରେଙ୍କ ଶିବସେନା ଏବଂ କଂଗ୍ରେସ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି।

ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀର ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ୍ କରି କହିଛନ୍ତି, ଦେଶର ଅର୍ଥମନ୍ତ୍ରୀ ଟମାଟୋ ଖାଉଛନ୍ତି କି? ସେ ଟମାଟୋର ବୃଦ୍ଧି ପାଉଥିବା ଦର ସମ୍ପର୍କରେ ଉତ୍ତର ଦେଇ ପାରିବେ କି?

“ଅନ୍ୟପକ୍ଷରେ କଂଗ୍ରେସର ସୁପ୍ରିଆ ଶ୍ରୀନେତ୍ ଅର୍ଥମନ୍ତ୍ରୀଙ୍କୁ ତାଙ୍କର ଏକ ପୁରୁଣା ବୟାନକୁ ନେଇ କଟାକ୍ଷ କରି କହିଛନ୍ତି, ‘ମୁଁ ରସୁଣ ଏବଂ ପିଆଜ ଖାଉ ନ ଥିବା’ର ଅପାର ସଫଳତା ପରେ ବର୍ତ୍ତମାନ ଶୀଘ୍ର ଆସିବାକୁ ଯାଉଛି ‘ମୁଁ ମଧ୍ୟ ଟମାଟୋ ଖାଏ ନାହିଁ |”

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟମାଟୋ, ପିଆଜ ଏବଂ ଆଳୁକୁ ପ୍ରାଥମିକତା ଦେଇଛନ୍ତି, କିନ୍ତୁ ତାଙ୍କର ଭୁଲ ନୀତି ଯୋଗୁଁ ଟମାଟୋକୁ ପ୍ରଥମେ ରାସ୍ତାରେ ଫିଙ୍ଗି ଦିଆଯାଏ ଏବଂ ପରେ କିଲୋ ୧୦୦ ଟଙ୍କାରେ ବିକ୍ରି କରାଯାଏ |

ଉଲ୍ଲେଖଯୋଗ୍ୟ, ୨୦୧୯ରେ ନିର୍ମଳା ସୀତାରମଣ ପିଆଜ ଦର ବୃଦ୍ଧି ଯୋଗୁଁ ବିରୋଧୀଙ୍କ ଟାର୍ଗେଟରେ ରହିଥିଲେ । ସେତେବେଳେ ସେ ସଂସଦରେ କହିଥିଲେ ଯେ ମୁଁ ପିଆଜ ଏବଂ ରସୁଣ ଖାଏ ନାହିଁ..ତେଣୁ ମୋ କଥା ଚିନ୍ତା କରନ୍ତୁ ନାହିଁ। ମୁଁ ଏକ ଏପରି ପରିବାରରୁ ଆସିଛି ଯେଉଁଠି ଭୋଜନରେ ପିଆଜ ବ୍ୟବହାର ହୁଏ ନାହିଁ |