ଇସ୍ରାଏଲର ତେଲ୍ ଅଭିଭ୍ ବିଶ୍ଵର ସବୁଠୁ ମହଙ୍ଗା ସହର, ସିରିଆ ରାଜଧାନୀ ଦାମାସ୍କସ୍ ସବୁଠାରୁ ଶସ୍ତା | News Room Odisha

ଇସ୍ରାଏଲର ତେଲ୍ ଅଭିଭ୍ ବିଶ୍ଵର ସବୁଠୁ ମହଙ୍ଗା ସହର, ସିରିଆ ରାଜଧାନୀ ଦାମାସ୍କସ୍ ସବୁଠାରୁ ଶସ୍ତା

ନୂଆଦିଲ୍ଲୀ:ଲଣ୍ଡନର ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ ପକ୍ଷରୁ ବିଶ୍ୱର ସବୁଠୁ ମହଙ୍ଗା ସହରଗୁଡ଼ିକର ତାଲିକା ପ୍ରକାଶ କରାଯାଇଛି | ସର୍ଭେ ଅନୁଯାୟୀ ଏଥର ପ୍ୟାରିସ କିମ୍ବା ସିଙ୍ଗାପୁର ନୁହେଁ ବରଂ ଇସ୍ରାଏଲର ତେଲ ଅଭିଭ୍ ହେଉଛି ବିଶ୍ଵର ସବୁଠୁ ମହଙ୍ଗା ସହର। ଏହି ସହରରେ ମୁଣ୍ଡପିଛା ବ୍ୟୟ ତଥା ଜୀବନଯାପନ ମୂଲ୍ୟ ବିଶ୍ବର ଅନ୍ୟ ପ୍ରମୁଖ ସହର ଅପେକ୍ଷା ବେଶ୍ ଅଧିକ |

ବିଶ୍ଵର ୧୭୩ଟି ସହରରେ ସାମଗ୍ରୀ ଏବଂ ସେବା ସହ ଆମେରିକୀୟ ଡଲାରର ମୂଲ୍ୟ ତୁଳନା ଭିତ୍ତିରେ ଏହି ତାଲିକା ସଂକଳିତ ହୋଇଛି |

ପରିବହନ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ସହ ତେଲ ଅଭିଭ୍ ର ଜାତୀୟ ମୁଦ୍ରା ଶେକଲର ମୂଲ୍ୟ ଡଲାର ତୁଳନାରେ ବଢ଼ିଛି ।

ମହଙ୍ଗା ସହର ତାଲିକାରେ ପ୍ୟାରିସ୍ ଏବଂ ସିଙ୍ଗାପୁର ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତା’ପରେ ଜୁରିକ୍ ଏବଂ ହଂକଂ ଅଛନ୍ତି | ନ୍ୟୁୟର୍କ ଷଷ୍ଠ ସ୍ଥାନରେ ଥିଲାବେଳେ ଜେନେଭା ସପ୍ତମ ସ୍ଥାନରେ ରହିଛି | ଅଷ୍ଟମ ସ୍ଥାନରେ କୋପେନ ହାଗେନ୍, ନବମ ସ୍ଥାନରେ ଲସ୍ ଆଞ୍ଜେଲସ୍ ଏବଂ ଦଶମ ସ୍ଥାନରେ ଜାପାନର ଓସାକା ରହିଛି |

ସିରିଆର ରାଜଧାନୀ ଦାମାସ୍କସ୍ ହେଉଛି ବିଶ୍ୱର ସବୁଠାରୁ ଶସ୍ତା ସହର ।

ଗତ ବର୍ଷ ମହଙ୍ଗା ସହର ସର୍ଭେରେ ପ୍ୟାରିସ୍, ଜୁରିକ୍ ଏବଂ ହଂକଂ ମିଳିତ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ | ଏହି ତିନୋଟି ସହରରେ ଜୀବନ ଯାପନ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ଥିଲା |