ଏସସି, ଏସଟିଙ୍କ ପାଇଁ ନବୀନ ସରକାରଙ୍କ ପଦକ୍ଷେପ ଅନୁଧ୍ୟାନ ସକାଶେ ଓଡ଼ିଶା ଆସିବେ ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ମନ୍ତ୍ରୀ | News Room Odisha

ଏସସି, ଏସଟିଙ୍କ ପାଇଁ ନବୀନ ସରକାରଙ୍କ ପଦକ୍ଷେପ ଅନୁଧ୍ୟାନ ସକାଶେ ଓଡ଼ିଶା ଆସିବେ ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର : ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ସତ୍ୟବତୀ ରାଠୋର ଏକ ଅଧିକାରୀ ଦଳ ସହ ୨୭ , ୨୮ ମଇ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ଆରମ୍ଭ କରାଯାଇଥିବା ସର୍ବୋତ୍କୃଷ୍ଟ ପଦକ୍ଷେପଗୁଡ଼ିକୁ ସେ ଅନୁଧ୍ୟାନ କରିବେ । ବିଶେଷ କରି ନାବେଟ୍ – କ୍ୟୁସିଆଇ ସହଭାଗିତାରେ ଡିସେମ୍ବର ୨୦୧୯ରୁ କାର୍ଯ୍ୟକାରୀ କରାଯାଉଥିବା ମିଶନ ସୁବିଦ୍ୟା କାର୍ଯ୍ୟକ୍ରମକୁ ସେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ବିଭାଗ ଦ୍ଵାରା ପରିଚାଳିତ ଏସ୍ଏସ୍‌ଡି ଛାତ୍ରାବାସଗୁଡ଼ିକର ମୂଲ୍ୟାଙ୍କନ ଓ ବେଞ୍ଚମାର୍କ ସ୍ଥାପନ ଏହି ମିଶନ ସୁବିଦ୍ୟା କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ।

ଛାତ୍ରାବାସଗୁଡ଼ିକର ପରିଚାଳନା ପଦ୍ଧତିର ମାନକ ନିର୍ଦ୍ଧାରଣ କରିବା ଓ ମୌଳିକ ସେବାଗୁଡ଼ିକରେ ଉନ୍ନତି ଆଣିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଆବାସିକ ଛାତ୍ରାବାସଗୁଡ଼ିକର ସଂଚାଳନ ବ୍ୟବସ୍ଥା ଓ ପରିଚାଳନା , ସ୍ୱାସ୍ଥ୍ୟ ଓ ପୁଷ୍ଟି , ସୁରକ୍ଷା , ମାନବସମ୍ବଳ , ମୌଳିକ ସେବା ଓ ମନୋରଞ୍ଜନ ଏବଂ ଗୁଣାତ୍ମକ ସୁବିଧାସୁଯୋଗର ବ୍ୟବସ୍ଥା ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ସେ ବୁଲି ଦେଖିବେ । ପ୍ରତ୍ୟେକ ଛାତ୍ରାବାସକୁ ପ୍ରଦତ୍ତ ସୁବିଧାସୁଯୋଗ ଆଧାରରେ ଫାଇନାଲ୍ ଗ୍ରେଡ୍ ପ୍ରଦାନ ବ୍ୟବସ୍ଥା ଓ ଆଇଏସ୍‌ଓ – ୯୦୦୧ ୨୦୧୫ ସାର୍ଟିଫିକେଟ୍‌ ପାଇବା ପାଇଁ ଏସବୁ ହଷ୍ଟେଲଗୁଡ଼ିକୁ ପ୍ରସ୍ତୁତ କରିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ମଧ୍ୟ ତେଲେଙ୍ଗାନା ଦଳର ଉଦ୍ଦେଶ୍ୟ ।

ବହୁଭାଷୀ ଶିକ୍ଷା ପଦ୍ଧତି ‘ ସଂହତି ’ ଦ୍ଵାରା ଜନଜାତି ବିଦ୍ୟାର୍ଥୀମାନଙ୍କର ଭାଷା ଅସୁବିଧାକୁ ଦୂର କରାଯାଇଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ରାଠୋର ଏହି ପଦ୍ଧତିକୁ ମଧ୍ୟ ଅନୁଧ୍ୟାନ କରିବେ । ପ୍ରାୟ ୧୪୦୭ ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ଦେଢ଼ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାତୃଭାଷା ସହ ବହୁଭାଷୀ ଶିକ୍ଷା ପଦ୍ଧତି ଫଳପ୍ରଦ ଶିକ୍ଷାଦାନରେ ସହାୟକ ହୋଇପାରିଛି ।