ଜମ୍ମୁ କାଶ୍ମୀରର ପୁଲୱାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ | News Room Odisha

ଜମ୍ମୁ କାଶ୍ମୀରର ପୁଲୱାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଗତକାଲି ରାତିରେ ଜିଲ୍ଲାର ଅରିହାଲରେ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ତରଫରୁ ପୁଲଓ୍ବାମାର ଅରିହାଲ ଅଞ୍ଚଳର ନ୍ୟୁ କଲୋନୀ ସ୍ଥିତ ଏକ ବଗିଚାରେ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା । ତଲାସି ବେଳେ ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ସୁରକ୍ଷା ବାହିନୀ ଏହାର ମୁହଁତୋଡ ଜବାବ ଦେଇଥିଲା । ବେଶ୍ କିଛି ଘଣ୍ଟା ଧରି ଦୁଇ ପକ୍ଷ ମଧ୍ୟରେ ରହି ରହି ଗୁଳି ବିନିମୟ ହୋଇଥିଲା।

ସେନା ଓ ପୋଲିସର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଆତଙ୍କବାଦୀ ମାନେ ବ୍ୟବହାର କରିଥିବା ଘରକୁ ଉଡ଼ାଇ ଦେଇଥିଲେ ସୁରକ୍ଷା ବାହିନୀ। ଅଧିକାରୀ କହିଛନ୍ତି ଯେ ନିହତ ଆତଙ୍କବାଦୀଙ୍କ ପରିଚୟ ଏବଂ ସେ କେଉଁ ଗୋଷ୍ଠୀର ଜଣା ପଡ଼ିନାହିଁ। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀର କେହି ଆହତ ନେଇ କୌଣସି ସୂଚନା ନାହିଁ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି|

ଏହାପୂର୍ବରୁ ନଭେମ୍ବର ୨୨ରେ ରାଜୌରରେ ଦୁଇ ଦିନ ଧରି ହୋଇଥିବା ଏନକାଉଣ୍ଟରରେ ଦୁଇ ଲସ୍କର ଆତଙ୍କବାଦୀ ନିହତ ହୋଇଥିବା ବେଳେ ଭାରତୀୟ ସେନାର ଦୁଇ ଅଧିକାରୀଙ୍କ ସହ ପାଞ୍ଚ ଯବାନ ସହିଦ୍ ହୋଇଥିଲେ ।