ଆତଙ୍କୀ ମଡ୍ୟୁଲ ଧ୍ୱସ୍ତ କଲା ଏନଆଇଏ,ପଶ୍ଚିମବଙ୍ଗ ଓ କେରଳରୁ ୯ ଅଲ-କାଏଦା ଆତଙ୍କବାଦୀ ଗିରଫ | News Room Odisha

ଆତଙ୍କୀ ମଡ୍ୟୁଲ ଧ୍ୱସ୍ତ କଲା ଏନଆଇଏ,ପଶ୍ଚିମବଙ୍ଗ ଓ କେରଳରୁ ୯ ଅଲ-କାଏଦା ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ – ଜାତୀୟ ଯାଂଚ୍ ଏଜେନସୀ –ଏନଆଇଏ ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ କେରଳର ଏର୍ନାକୁଲମରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ମଡ୍ୟୁଲ୍ ଠାବ କରିଛି । ଅଲ-କାଏଦାର ୯ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା କହିଛି ଏନଆଇଏ । ଏଥିମଧ୍ୟରୁ ୬ ଜଣଙ୍କୁ ପଶ୍ଚିମବଙ୍ଗରୁ ଓ ୩ ଜଣଙ୍କୁ କେରଳରୁ ଗିରଫ କରାଯାଇଥିବା କୁହାଯାଇଛି । ଗିରଫ ବ୍ୟକ୍ତିମାନଙ୍କୁ ସୋସିଆଲ ମିଡିଆ ଜରିଆରେ ପାକିସ୍ତାନରେ ଥିବା ଅଲ-କାଏଦା ଆତଙ୍କବାଦୀମାନେ ଉଗ୍ର ମୌଳବାଦର ଶିକ୍ଷା ଦେଇଥିଲେ ବୋଲି ଏନଆଇଏର ପ୍ରାରମ୍ଭିକ ଯାଂଚରୁ ଜଣାପଡିଛି ।

ଗିରଫ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରୀୟ ରାଜଧାନୀ ଅଂଚଳ ସମେତ ଅନ୍ୟ କିଛି ସ୍ଥାନରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଜଣାପଡିଛି । ମଡ୍ୟୁଲ ସକ୍ରିୟ ଭାବେ ଅର୍ଥ ସଂଗ୍ରହରେ ଲାଗିଥିଲା । ମଡ୍ୟୁଲର କିଛି ସଦସ୍ୟ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ କିଣିବା ପାଇଁ ଦିଲ୍ଲୀ ଯାତ୍ରା କରିବାକୁ ଯୋଜନା କରୁଥିଲେ । ଗିରଫ ବ୍ୟକ୍ତିଙ୍କଠାରୁ ବହୁମାତ୍ରାରେ ଡିଜିଟାଲ ଉପକରଣ, ଦସ୍ତାବିଜ୍‌, ଜିହାଦୀ ସାହିତ୍ୟ, ଧାରୁଆ ଅସ୍ତ୍ରଶସ୍ତ୍ର, ଦେଶୀ ଫାୟର ଆର୍ମ ଆଦି ଜବତ ହୋଇଥିବା କହିଛି ଏନଆଇଏ । ଅଧିକ ତଦନ୍ତ ଚାଲିଛି ବୋଲି ଏନଆଇଏ କହିଛି ।