ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମାତିଲେ ଆତଙ୍କବାଦୀ, ଜମ୍ମୁରେ ସିଆଇଏସ୍ଏଫ୍ ବସ ଉପରକୁ ଆକ୍ରମଣ, ଜଣେ ଯବାନ ସହିଦ୍ | News Room Odisha

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମାତିଲେ ଆତଙ୍କବାଦୀ, ଜମ୍ମୁରେ ସିଆଇଏସ୍ଏଫ୍ ବସ ଉପରକୁ ଆକ୍ରମଣ, ଜଣେ ଯବାନ ସହିଦ୍

ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଜମ୍ମୁ ରେ ଦୁଇ ଦୁଇଟି ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଜାମ୍ମୁର ଚଢା କ୍ୟାମ୍ପ ନିକଟରେ ୧୫ ସିଆଇଏସ୍ଏଫ୍ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆକ୍ରମଣ କରିଛନ୍ତି। ଜବାବୀ କାର୍ଯ୍ୟାନୁଷ୍ଠାନରେ ସିଆଇଏସ୍ଏଫ୍ ର ଜଣେ ଏଏସ୍ଆଇଙ୍କର ସହିଦ୍ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସିଆଇଏସ୍ଏଫ୍ ଯବାନମାନେ ସୁଜୱାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ବନ୍ଧରେ ସୁରକ୍ଷା ବାହିନୀକୁ ସହାୟତା କରିବାକୁ ଯାଉଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଏପ୍ରିଲ ୨୪ରେ ଜମ୍ମୁ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବାହିନୀ ଲଗାତାର ଭାବେ ସୂଚନା ପାଇ ଆସୁଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ଜାମ୍ମୁ ସହରରେ କିଛି ବଡ଼ ଧରଣର ଆକ୍ରମଣ ଯୋଜନାରେ ରହିଛନ୍ତି। ଏହି ସୂଚନା ପରେ, ଗୁରୁବାର ସନ୍ଧ୍ୟା ଠାରୁ ଜମ୍ମୁ ପୋଲିସ ସହ ସେନା ଏବଂ ସାମରିକ ବାହିନୀ ସହରର ଅନେକ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା ​​| ଏହି ସର୍ଚ୍ଚ ଅପରେସନ୍ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଅପରେସନ୍ ସମୟରେ ଜମ୍ମୁର ଭାଟିଣ୍ଡି ଅଞ୍ଚଳରେ ସିଆଇଏସ୍ଏଫ୍ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ସିଆଇଏସ୍ଏଫ୍ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନ ପରେ ଆତଙ୍କବାଦୀମାନେ ଏକ ଘରେ ଲୁଚି ଯାଇଥିଲେ। ଏହି ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି | ଏହି ଅପରେସନରେ ଏପର୍ଯ୍ୟନ୍ତ ଜଣେ ଏଏସ୍ଆଇ ସହିଦ ହୋଇଥିବା ବେଳେ ୬ ଜଣ ଯବାନ ଆହତ ହୋଇଛନ୍ତି |

ଆଜି ଜାମ୍ମୁ କାଶ୍ମୀରର ସୁଜୱାନରେ ମଧ୍ୟ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ସୈନିକ ସହିଦ ହୋଇଛନ୍ତି ।