କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ପୁଲଓ୍ବାମାରେ ହିନ୍ଦୁ ଯୁବକଙ୍କୁ ଗୁଳିକରି ହତ୍ୟା | News Room Odisha

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ପୁଲଓ୍ବାମାରେ ହିନ୍ଦୁ ଯୁବକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଟାର୍ଗେଟ କିଲିଂ ଥମିବାର ନାଁ ନେଉନାହିଁ। ଆତଙ୍କବାଦୀ ରବିବାର ପୁଲଓ୍ବାମାରେ ପୁଣି ଜଣେ ହିନ୍ଦୁଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସୂଚନାନୁସାରେ, ବଜାରକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିଲେ। ହତ୍ୟାର ଶିକାର ବ୍ୟକ୍ତି ସଞ୍ଜୟ ଶର୍ମା ବୋଲି ଜଣାପଡ଼ିଛି । ସେ ଜଣେ ବ୍ୟାଙ୍କ୍ କର୍ମଚାରୀ ବୋଲି କୁହାଯାଇଛି।

ପୋଲିସର ସୂଚନାନୁସାରେ ରବିବାର ଦିନ ପ୍ରାୟ ୧୧ଟାରେ ଏହି ଘଟଣା ଘଟିଥିଲା । ପୁଲୱାମାର ସଂଖ୍ୟାଲଘୁ ସମ୍ପ୍ରଦାୟର ଅଚାନ ବାସିନ୍ଦା କାଶୀନାଥ ଶର୍ମାଙ୍କ ପୁଅ ସଞ୍ଜୟ ଶର୍ମାଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ସେ ବଜାରକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ । ଶର୍ମାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ତାଙ୍କ ଗାଁରେ ଅଧିକ ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି ଓ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଆତଙ୍କବାଦୀଙ୍କ ତଲାସି ଆରମ୍ଭ ହୋଇଛି ।