ଚାରି ଦିନ ହେଲା ଟନେଲରେ ଫସିଛନ୍ତି ୪୦ ଶ୍ରମିକ, ଉଦ୍ଧାର ପାଇଁ ନିଆଗଲା ଥାଇଲ୍ୟାଣ୍ଡ ଓ ନରଓ୍ବେର ସହାୟତା | News Room Odisha

ଚାରି ଦିନ ହେଲା ଟନେଲରେ ଫସିଛନ୍ତି ୪୦ ଶ୍ରମିକ, ଉଦ୍ଧାର ପାଇଁ ନିଆଗଲା ଥାଇଲ୍ୟାଣ୍ଡ ଓ ନରଓ୍ବେର ସହାୟତା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଏକ ଟନେଲ୍ ଭୁଶୁଡ଼ିବା ପରେ ଭିତରେ ଚାରି ଦିନ ଧରି ଫସି ରହିଥିବା ୪୦ ଶ୍ରମିକ ନିଜ ଜୀବନ ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ଶ୍ରମିକ ମାନଙ୍କୁ ବାହାର କରିବା ପ୍ରୟାସ ଅବ୍ୟାହତ ରହିଛି । ବାୟୁସେନା ବିମାନରେ ଦିଲ୍ଲୀରୁ ଏକ ଆମେରିକୀୟ ଡ୍ରିଲିଂ ମେସିନ୍ ଅଣାଯାଇ ଟନେଲରେ ଲଗାଯାଇଛି।

ଶ୍ରମିକ ମାନଙ୍କୁ ବାହାର କରିବା ପାଇଁ ଭାରତ ଏବେ ଥାଇଲ୍ୟାଣ୍ଡର ଏକ କମ୍ପାନୀର ସହାୟତା ଲୋଡ଼ିଛି । ଏହି କମ୍ପାନୀ ୨୦୧୮ରେ ଥାଇଲ୍ୟାଣ୍ଡରେ ଏକ ଗୁମ୍ଫାରେ ଫସିଥିବା ଜୁନିୟର ଫୁଟବଲ୍ ଟିମର କିଛି ଖେଳାଳିଙ୍କୁ ସଫଳତାର ସହ ଉଦ୍ଧାର କରିଥିଲା। ଏହାଛଡ଼ା ନରଓ୍ବେର ଜିଓଟେକ୍ନିକାଲ ଇନଷ୍ଟିଚ୍ୟୁଟର ବି ପରାମର୍ଶ ଲୋଡ଼ିଛନ୍ତି ଭାରତୀୟ ଅଧିକାରୀ ।

ଟନେଲରେ ଫସିଥିବା ଶ୍ରମିକଙ୍କୁ ବାହାର କରିବାକୁ ଦିଲ୍ଲୀରୁ ଏକ ବିଶାଳ ଡ୍ରିଲିଂ ମେସିନ୍ ଦୁଇଟି ହର୍କ୍ୟୁଲସ୍ ସି -୧୩୦ ବିମାନରେ ଅଣାଯାଇଥିଲା | ଏହି ମେସିନ୍ ଏକ ଘଣ୍ଟାରେ ବଡ଼ ବଡ଼ ସ୍ଲାବକୁ ୫ ମିଟର ପର୍ଯ୍ୟନ୍ତ ଡ୍ରିଲ୍ କରିପାରିବ | ଡ୍ରିଲିଂ ପରେ ଏକ ୯୦୦ ମିମି ଚଉଡ଼ା ଷ୍ଟିଲ୍ ପୂରାଇ ଶ୍ରମିକ ମାନଙ୍କୁ ବାହାର କରିବାକୁ ଉଦ୍ୟମ କରାଯିବ । ଶ୍ରମିକମାନେ ପଡ଼ି ରହିଥିବା ମାଟିପଥର ଠାରୁ ପ୍ରାୟ ୫୦ରୁ ୬୦ ମିଟର ଦୂରରେ ଫସି ରହିଛନ୍ତି।

ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ(ଏନ୍ଏଚ୍ଆଇଡିସି)ର ନିର୍ଦ୍ଦେଶକ ଅନସୁ ମନୀଷ କହିଛନ୍ତି, ଶ୍ରମିକମାନଙ୍କୁ ବାହାର କରିବା ପାଇଁ ଆଉ ୫୦ ଘଣ୍ଟା ସମୟ ଲାଗିପାରେ । ଫସି ରହିଥିବା ଶ୍ରମିକମାନଙ୍କ ସହ ୱାକି ଟକି ମାଧ୍ୟମରେ ଯୋଗାଯୋଗ ରଖାଯାଇଛି | ସେମାନଙ୍କୁ ଏକ ପାଇପ୍ ଦ୍ବାରା ଅମ୍ଳଜାନ, ଜଳ, ଔଷଧ ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି |

ସେପଟେ ଶ୍ରମିକଙ୍କ ପରିବାର ଲୋକଙ୍କ ଚିନ୍ତା ବଢ଼ି ଚାଲିଛି ।ଆଜି ସକାଳେ ଶ୍ରମିକମାନଙ୍କର କିଛି ବନ୍ଧୁ ଘଟଣାସ୍ଥଳରେ ପହଞ୍ଚି ଟନେଲ ନିର୍ମାଣ କରୁଥିବା କମ୍ପାନୀ ଏବଂ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଗୁରୁତର ସହ ନିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ସେମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ । ହେଲେ ପୋଲିସ ସେମାନଙ୍କୁ ଅଟକାଇଥିଲା।