କଂଗ୍ରେସ ସଭାପତି ନିର୍ବାଚନ: ଭୋଟର ତାଲିକା ସାର୍ବଜନୀନ କରିବାକୁ ଶଶି ଥରୁରଙ୍କ ଦାବି | News Room Odisha

କଂଗ୍ରେସ ସଭାପତି ନିର୍ବାଚନ: ଭୋଟର ତାଲିକା ସାର୍ବଜନୀନ କରିବାକୁ ଶଶି ଥରୁରଙ୍କ ଦାବି

ନୂଆଦିଲ୍ଲୀ: ସଭାପତି ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ କରିବାକୁ କଂଗ୍ରେସ ଭିତରେ ଦାବି ଜୋର୍ ଧରିବାରେ ଲାଗିଛି । ଏବେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଏଥିରେ ସ୍ବର ମିଳାଇଛନ୍ତି । ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁଖ୍ୟ ମଧୁସୂଦନ ମିସ୍ତ୍ରୀଙ୍କୁ ଚିଠି ଲେଖି କଂଗ୍ରେସର ଆଗାମୀ ସଭାପତି ପଦ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ କରିବାକୁ ଥରୁର ଦାବି କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ, ଆସାମ ସାଂସଦ ପ୍ରଦ୍ୟୁତ ବୋର୍ଦ୍ଦୋଲୋଇ ମଧ୍ୟ ମିସ୍ତ୍ରୀଙ୍କୁ ପତ୍ର ଲେଖି ଭୋଟର ତାଲିକା ସାର୍ବଜନୀନ କରିବାକୁ ଦାବି କରିଛନ୍ତି।

ଭୋଟର ତାଲିକାକୁ ସାର୍ବଜନୀନ କରିବାକୁ ଦାବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଦଳ ମଧ୍ୟରେ ଏହା ଉପରେ ବିତର୍କ ତୀବ୍ର ହୋଇଛି।

ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଚାର କରୁଥିବା ଥରୁର ମିସ୍ତ୍ରୀଙ୍କୁ ଚିଠି ଲେଖି ନିର୍ବାଚନ ତାଲିକା ପ୍ରକାଶ କରିବାକୁ ଦାବି କରିଛନ୍ତି।

ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟାରେ ୧୦ ଜଣ ପ୍ରସ୍ତାବକ ଅଛନ୍ତି ଯେଉଁମାନେ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପ୍ରତିନିଧୀ ହେବେ। ଥରୁର କହିଛନ୍ତି ଯେ ଏହି ପ୍ରତିନିଧୀଙ୍କ ବିଷୟରେ ଜାଣିବା ଜରୁରୀ । କାରଣ ଯଦି ସେମାନଙ୍କ ନାମ ଚୂଡ଼ାନ୍ତ ତାଲିକାରେ ନ ରହେ, ତେବେ ନାମାଙ୍କନପତ୍ର ପ୍ରତ୍ୟାଖ୍ୟାନ ହୋଇପାରେ।

ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ୍ ଏବଂ ଥରୁର ବୁଧବାର ମଧ୍ୟ ନିର୍ବାଚନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ତାଲିକା ସାର୍ବଜନୀନ କରିବାକୁ ଦାବି କରିଥିଲେ ।

କଂଗ୍ରେସର ‘ଜି-୨୩’ ଗୋଷ୍ଠୀର ସଦସ୍ୟ ଥିବା ତିୱାରୀଙ୍କ ସହ ଥରୁର ଦଳର ସଭାପତି ନିର୍ବାଚନ ସହ ଜଡିତ ମତଦାତା ତାଲିକା ପ୍ରକାଶ ନ କରିବା ନେଇ ପ୍ରଶ୍ନ ଉଠାଇଥିଲେ । ନିର୍ବାଚନ ସହ ଜଡିତ ସମସ୍ତ ପ୍ରକ୍ରିୟା ନିରପେକ୍ଷ ଏବଂ ସ୍ୱଚ୍ଛ ହେବା ଆବଶ୍ୟକ ବୋଲି ସେମାନେ କହିଥିଲେ ।

ଦଳର ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିବା ଥରୁର, ତିୱାରୀଙ୍କ ସହ ସହମତ ହୋଇ କହିଛନ୍ତି ଯେ କିଏ ପ୍ରାର୍ଥୀ ପ୍ରସ୍ତାବକ ହେବ ଏବଂ କିଏ ଭୋଟ୍ ଦେଇପାରିବ ତାହା ଜାଣିବା ସମସ୍ତଙ୍କ ଅଧିକାର ରହିଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ସଭାପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ୨୪ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୮ ହେବ । ଯଦି ଆବଶ୍ୟକ ହୁଏ ତେବେ ଅକ୍ଟୋବର ୧୭ରେ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା କରାଯିବ।