ଥରୁରଙ୍କ କଟାକ୍ଷ: ବିରୋଧୀ ମେଣ୍ଟ ନିଜକୁ 'ଭାରତ' ବୋଲି କହିଲେ ସରକାର ବୋଧେ ନାମ ବଦଳାଇବା ଖେଳ ବନ୍ଦ କରିବେ | News Room Odisha

ଥରୁରଙ୍କ କଟାକ୍ଷ: ବିରୋଧୀ ମେଣ୍ଟ ନିଜକୁ ‘ଭାରତ’ ବୋଲି କହିଲେ ସରକାର ବୋଧେ ନାମ ବଦଳାଇବା ଖେଳ ବନ୍ଦ କରିବେ

ନୂଆଦିଲ୍ଲୀ: ଦେଶର ନାମ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଶଶି ଥରୁର ବୁଧବାର ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯଦି ବିରୋଧୀ ଦଳ ନିଜକୁ ‘ଆଲାଏନ୍ସ ଫର ବେଟରମେଣ୍ଟ, ହାରମୋନି ଆଣ୍ଡ୍ ରେସପନ୍ସିବଲ ଆଡଭାନ୍ସମେଣ୍ଟ ଫର୍ ଟୁମାରୋ ‘ (BHARAT) ବୋଲି କହିବା ଆରମ୍ଭ କରେ, ତେବେ ବୋଧହୁଏ ଶାସକ ଦଳ ନାମ ପରିବର୍ତ୍ତନ କରିବାର ଏହି ହୀନ ଖେଳ ବନ୍ଦ କରିପାରେ |

ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଜି-୨୦ ନିମନ୍ତ୍ରଣକୁ ନେଇ ବିବାଦ ପରେ ଥରୁରଙ୍କ ଏହି ମନ୍ତବ୍ୟ ଆସିଛି । ଜି-୨୦  ନିମନ୍ତ୍ରଣରେ ଦେଶର ରାଷ୍ଟ୍ରପତିଙ୍କୁ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ‘ବୋଲି  ସମ୍ବୋଧିତ କରାଯାଇଛି। ‘ଇଣ୍ଡିଆ’ ଶବ୍ଦକୁ ହଟାଇ ଦେଶର ନାମ କେବଳ ‘ଭାରତ’ ରଖିବାକୁ ମୋଦୀ ସରକାର  ଯୋଜନା କରୁଛନ୍ତି  ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯିବା ପରେ ମୋଦୀ ସରକାର ଡରି ଯାଇଛନ୍ତି ବୋଲି ସେମାନେ କହିଛନ୍ତି ।

ଥରୁର ‘ଏକ୍ସ’ ରେ ଏକ ପୋଷ୍ଟରେ ଲେଖିଛନ୍ତି ‘ଯଦି ଆମେ ନିଜକୁ ‘ଆଲାଏନ୍ସ ଫର ବେଟରମେଣ୍ଟ, ହାରମୋନି ଆଣ୍ଡ୍ ରେସପନ୍ସିବଲ ଆଡଭାନ୍ସମେଣ୍ଟ ଫର୍ ଟୁମାରୋ ‘ (BHARAT) ‘ବୋଲି କହିବୁ ତାହା ହେଲେ ଶାସକ ଦଳ ନାମ ବଦଳାଇବାର ଏହି ହୀନ ଖେଳ ବନ୍ଦ କରିଦେବେ |

କଂଗ୍ରେସ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ)ର ଏକ ସହଯୋଗୀ ଦଳ।

ଥରୁର ମଙ୍ଗଳବାର କହିଥିଲେ ଯେ ଇଣ୍ଡିଆକୁ ‘ଭାରତ’ ବୋଲି କହିବାରେ କୌଣସି ସାମ୍ବିଧାନିକ ଆପତ୍ତି ନାହିଁ । କିନ୍ତୁ ଆଶା କରୁଛି ସରକାର ଏତେ ‘ମୁର୍ଖ’ ନୁହଁନ୍ତି ଯେ ସାରା ବିଶ୍ୱରେ ଏକ ବହୁମୂଲ୍ୟ ବ୍ରାଣ୍ଡ୍ ପାଲଟିଥିବା ‘ଇଣ୍ଡିଆ’ ନାମକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିଦେବେ ।

ଏହି କଂଗ୍ରେସ ସାଂସଦ ଆହୁରି ଦାବି କରିଛନ୍ତି ଯେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନା ‘ଇଣ୍ଡିଆ’ ନାମ ଉପରେ ଆପତ୍ତି ଉଠାଇଥିଲେ ।