ଦିଲ୍ଲୀରେ ତୃତୀୟ ମଙ୍କିପକ୍ସ ମାମଲା ଚିହ୍ନଟ, ଦେଶର ଅଷ୍ଟମ | News Room Odisha

ଦିଲ୍ଲୀରେ ତୃତୀୟ ମଙ୍କିପକ୍ସ ମାମଲା ଚିହ୍ନଟ, ଦେଶର ଅଷ୍ଟମ

ନୂଆଦିଲ୍ଲୀ: ଦେଶରେ ମଙ୍କିପକ୍ସ ଆତଙ୍କ ବଢ଼ିବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ରୋଗର ଆଉ ଏକ ମାମଲା ସାମ୍ନାକୁ ଆସିଛି। ନାଇଜେରିଆର ଜଣେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ହୋଇଛି। ଆକ୍ରାନ୍ତ ବ୍ୟକ୍ତି ହେଉଛନ୍ତି ଦ୍ବିତୀୟ ନାଇଜେରୀୟ ନାଗରିକ ଯାହାଙ୍କ ଠାରେ ଏହି ରୋଗର ଭାଇରସ୍ ମିଳିଛି । ଏହା ସହିତ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଥିବା ବେଳେ ଦେଶରେ ମଙ୍କିପକ୍ସ ମାମଲା ୮ରେ ପହଞ୍ଚିଛି ।

ଲୋକ ନାୟକ ଜୟପ୍ରକାଶ (ଏଲ୍ଏନଜେପି) ହସ୍ପିଟାଲରେ ଭର୍ତ୍ତି ଦିଲ୍ଲୀର ପ୍ରଥମ ମଙ୍କିପକ୍ସ ରୋଗୀଙ୍କୁ ସୋମବାର ସୁସ୍ଥ ହୋଇ ଘରକୁ ଫେରିଥିଲେ । ପଶ୍ଚିମ ଦିଲ୍ଲୀର ଏହି ବାସିନ୍ଦା (୩୪) ଗତ ମାସରେ ମଙ୍କିପକ୍ସରେ ସଂକ୍ରମିତ ହୋଇଥିଲେ । ଅଧିକାରୀ କହିଛନ୍ତି ଯେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଡାକ୍ତରଙ୍କ ସମେତ ୧୪ ଜଣ ବ୍ୟକ୍ତି ଆଇସୋଲେସନରେ ରଖାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ କାହା ପାଖରେ ମଙ୍କିପକ୍ସର କୌଣସି ଲକ୍ଷଣ ଦେଖାଯାଇ ନଥିଲା।

ଦେଶରେ ଏପର୍ଯ୍ୟନ୍ତ ମଙ୍କିପକ୍ସର ଆଠଟି ମାମଲା ରିପୋର୍ଟ ହୋଇଛି। ଆଜି କେରଳରେ ମଧ୍ୟ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ୟୁଏଇରୁ ଫେରିଥିଲେ ବୋଲି ଜଣାପଡିଛି। କେରଳରେ ଏହା ମଙ୍କିପକ୍ସର ମୋଟ ପଞ୍ଚମ ମାମଲା ।