ପୁଞ୍ଚରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ସହିଦ୍  | News Room Odisha

ପୁଞ୍ଚରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ସହିଦ୍ 

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗୁରୁବାର ସେନା ଟ୍ରକ୍ ଏବଂ ଏକ ଜିପ୍ସୀ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସେନାର ତିନି ଯବାନ ସହିଦ ହୋଇଥିବା ବେଳେ ଜଣେ ସୈନିକ ଆହତ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ତରଫରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାସ୍ଥଳକୁ ଅତିରିକ୍ତ ସୈନ୍ୟ ପଠାଯାଇଛି।
ଜଣେ ସେନା ଅଧିକାରୀ କହିଛନ୍ତି, ବୁଧବାର ସନ୍ଧ୍ୟାରେ ରାଜୌରି କ୍ଷେତ୍ରର ଥାନାମାଣ୍ଡି ଅଞ୍ଚଳରେ ଚାଲିଥିବା ମିଳିତ ଅପରେସନରେ ସାମିଲ ହେବାକୁ ସେନା  ଯବାନ ଯାଉଥିବା ବେଳେ ପୁଞ୍ଚର ସୁରନକୋଟ ଅଞ୍ଚଳରେ ସେନା ଟ୍ରକ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ ।ଘଟଣାସ୍ଥଳରେ ଏବେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଗାଡିଟି ବୁଫଲିୟଜରୁ ସୈନିକମାନଙ୍କୁ ନେଇ ଯାଉଥିଲା |
ଏହି ଅଞ୍ଚଳରେ ବୁଧବାର ରାତିରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ ଘେରାବନ୍ଦୀ ଓ ତଲାସି ଅଭିଯାନ ଆରମ୍ଭ କରିଥିଲେ। ସେନା ଆଜି ସୁରକ୍ଷା ବାହିନୀ ସହିତ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲା। ଏହା ପରେ ଏଠାକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଥିଲା। ଏକ ମାସ ତଳେ ଏହି ଅଞ୍ଚଳରେ ସେନା ଉପରେ ଏହା ହେଉଛି ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ।