ଆଇଆଇଟି ବିଏଚୟୁ ଛାତ୍ରୀ ଗଣବଳାତ୍କାର ମାମଲା: ଦୁଇ ମାସ ପରେ ତିନି ଅଭିଯୁକ୍ତ ଗିରଫ | News Room Odisha

ଆଇଆଇଟି ବିଏଚୟୁ ଛାତ୍ରୀ ଗଣବଳାତ୍କାର ମାମଲା: ଦୁଇ ମାସ ପରେ ତିନି ଅଭିଯୁକ୍ତ ଗିରଫ

ବାରାଣସୀ: ଆଇଆଇଟି ବିଏଚୟୁରେ ଘଟିଥିବା ଗଣବଳାତ୍କାର ଘଟଣାର ପ୍ରାୟ ଦୁଇ ମାସ ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବାରାଣସୀ ବାସିନ୍ଦା । ଏହି ଘଟଣାରେ ଅଭିଯୁକ୍ତ ବ୍ୟବହାର କରିଥିବା ବୁଲେଟ୍ ମଧ୍ୟ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ନାମ ହେଉଛି କୁନାଲ ପାଣ୍ଡେ, ଅଭିଷେକ ଚୌହାନ ଓ ସକ୍ଷମ ପଟେଲ । ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ବାରାଣସୀରୁ ଗିରଫ କରିଛି ।

ନଭେମ୍ବର ୨ରେ ଆଇଆଇଟି ବିଏଚୟୁ କ୍ୟାମ୍ପସରେ ଜଣେ ଦ୍ୱିତୀୟ ବର୍ଷର ଆଇଆଇଟି ଛାତ୍ରୀଙ୍କୁ ପୋଷାକ କାଢ଼ିବାକୁ ବାଧ୍ୟ କରାଯାଇଥିଲା । ଘଟଣା ଦିନ ରାତି ପ୍ରାୟ ୧.୩୦ରେ ଛାତ୍ରୀ ଜଣକ କୌଣସି ଜରୁରୀ କାମ ପାଇଁ ହଷ୍ଟେଲରୁ ବାହାରିଥିଲେ । ବାଟରେ ସେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବୁଲେଟରେ ତିନିଜଣ ଯୁବକ ଆସିଥିଲେ । ଛାତ୍ରୀ ଜଣଙ୍କୁ ସେମାନେ ତାଙ୍କ ସାଙ୍ଗ ଠାରୁ ଅଲଗା କରି ଆଉ ଏକ ଜାଗାକୁ ନେଇ ବନ୍ଧୁକ ମୁନରେ ପୋଷାକ କାଢ଼ିବାକୁ ବାଧ୍ୟ କରିଥିଲେ । ଏହାପରେ ସେମାନେ ଛାତ୍ରୀ ଜଣଙ୍କୁ ଜବରଦସ୍ତି ଚୁମ୍ବନ ଦେବା ସହ ତାଙ୍କ ପ୍ରାଇଭେଟ୍ ପାର୍ଟ ଛୁଇଁଥିଲେ । ସେମାନେ ଏହାର ଭିଡିଓ ଓ ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ ।

ଏହି ଘଟଣା ପରେ ଆଇଆଇଟି ବିଏଚୟୁରେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ୟାମ୍ପସରେ ସୁରକ୍ଷା କଡ଼ାକଡ଼ି କରିବା ଦାବିରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ।

ପୀଡିତା ଛାତ୍ରୀଙ୍କ ବୟାନ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଗଣ ବଳାତ୍କାର (ଆଇପିସି ୩୭୬-ଡି) ଓ ଇଲେକ୍ଟ୍ରୋନିକ ଉପକରଣ ଜରିଆରେ ଯୌନ ନିର୍ଯାତନା ଦଫା (ଆଇପିସି ୫୦୯) ଅନୁଯାୟୀ ମାମଲା ରୁଜୁ କରିଥିଲା।