ପୂର୍ବ ଦିଲ୍ଲୀରେ ବନ୍ୟା ପାଣିରେ ଗାଧୋଇବା ବେଳେ ବୁଡ଼ିଯାଇ ତିନି ପିଲାଙ୍କ ମୃତ୍ୟୁ | News Room Odisha

ପୂର୍ବ ଦିଲ୍ଲୀରେ ବନ୍ୟା ପାଣିରେ ଗାଧୋଇବା ବେଳେ ବୁଡ଼ିଯାଇ ତିନି ପିଲାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଯମୁନା ନଦୀର ଜଳ ସ୍ତର ବୃଦ୍ଧି ପାଇବା ପରେ ଅନେକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କ ଘରେ ପାଣି ପଶିଥିବା ବେଳେ ବହୁ ପ୍ରମୁଖ ରାସ୍ତା ବୁଡ଼ି ଯିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଏହାରି ଭିତରେ ଦିଲ୍ଲୀର ମୁକୁନ୍ଦପୁର ଚୌକରେ ଏକ ଦୁଃଖଦ ଘଟଣା ଘଟିଛି । ବନ୍ୟା ପାଣିରେ ବୁଡ଼ି ତିନିଜଣ ବାଳକଙ୍କ ମୃତ୍ୟୁ ହୋଇଛି। ଏହି ତିନି ବାଳକ ବନ୍ୟା ପାଣିରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ । ଜଣେ କନଷ୍ଟେବଳ ସେମାନଙ୍କୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଡେଇଁଥିଲେ ମଧ୍ୟ ତାଙ୍କ ଉଦ୍ୟମ ବ୍ୟର୍ଥ ହୋଇଥିଲା।

ପୋଲିସର ସୂଚନାନୁସାରେ, ମୁକୁନ୍ଦପୁରର ଏକ ଗ୍ରାଉଣ୍ଡରେ ପାଣି ଭରି ଯାଇଥିଲା । ତିନି ପିଲା ଏଠାକୁ ଗାଧୋଇବାକୁ ଯାଇଥିଲେ। ପିଲାମାନଙ୍କ ବୟସ ୧୨ ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଇଛି | ବନ୍ୟା ପାଣିରେ ଗାଧୋଇବା ବେଳେ ତିନିଜଣ ବୁଡ଼ିଯାଇଥିଲେ । ଏହା‌ ଦେଖି ଜଣେ କନଷ୍ଟେବଳ ପାଣି ଭିତରକୁ ଡେଇଁପଡିଥିଲେ। ତେବେ ସେ ତିନି ପିଲାଙ୍କୁ ଉଦ୍ଧାର କରି ପାରିନଥିଲେ | ଏହି ଘଟଣାର କିଛି ସମୟ ପରେ ତିନି ବାଳକଙ୍କ ମୃତଦେହ ପାଣି ଭିତରୁ ବାହାର କରାଯାଇଥିଲା। ଏହି ଘଟଣା ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଘଟିଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଯମୁନା ନଦୀର ଜଳ ସ୍ତର ବୃଦ୍ଧି ପାଇବାରୁ ଦିଲ୍ଲୀର ଅବସ୍ଥା ବେହାଲ ହୋଇଛି। ଅନେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ ବହୁ ସଂଖ୍ୟକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଯମୁନାର ଜଳ ସ୍ତର ଶୁକ୍ରବାର ସାମାନ୍ୟ ହ୍ରାସ ପାଇଛି । ତଥାପି ଏହା ୨୦୮ ମିଟର ଉପରେ ରହିଛି । ଯମୁନା ନଦୀ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।