ଶେଷରେ ନଇଁଲେ ସରକାର, ଅନ୍ନଦାତାଙ୍କ ହେଲା ବିଜୟ; ପ୍ରତ୍ୟାହାର ହେବ ତିନି ବିବାଦୀୟ କୃଷି ଆଇନ | News Room Odisha

ଶେଷରେ ନଇଁଲେ ସରକାର, ଅନ୍ନଦାତାଙ୍କ ହେଲା ବିଜୟ; ପ୍ରତ୍ୟାହାର ହେବ ତିନି ବିବାଦୀୟ କୃଷି ଆଇନ

ନୂଆଦିଲ୍ଲୀ: ଶେଷରେ କୃଷକମାନଙ୍କ ବିଜୟ ହୋଇଛି । ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର । ଆଜି ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି। ପ୍ରାୟ ଏକ ବର୍ଷ ଧରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଏବଂ ପଞ୍ଜାବ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଦୀ ଚାଷୀଙ୍କୁ ବର୍ତ୍ତମାନ ଘରକୁ ଫେରିବା ପାଇଁ ନିବେଦନ କରିଛନ୍ତି ଏବଂ ଶୀତ ଅଧିବେଶନରେ ଏହି ଆଇନ ରଦ୍ଦ କରିବାର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି।

ଆଜି ଗୁରୁ ପରବ ଅବସରରେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହି ଅପ୍ରତ୍ୟାଶିତ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆମ ଉଦ୍ୟମରେ କିଛି ଅଭାବ ରହିଯାଇଥିଲା ‌। ଯାହା ଫଳରେ ଏକ କୃଷକ ଗୋଷ୍ଠୀକୁ କୃଷି ଆଇନର ଗୁରୁତ୍ଵ ବୁଝାଇବାରେ ସଫଳ ହୋଇନଥିଲୁ ।

କୃଷି ଆଇନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ଷ ବର୍ଷ ଧରି ଦେଶର ଚାଷୀ, ଦେଶର କୃଷି ବିଶେଷଜ୍ଞ, ଦେଶର କୃଷକ ସଂଗଠନ କ୍ରମାଗତ ଦାବିକୁ ଦୃଷ୍ଟିରେ ରଖି ଆମେ କୃଷକଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ଆଇନ ଅଣାଯାଇଥିଲା |
ସଂସଦରେ ମଧ୍ୟ ଏହା ଉପରେ ଆଲୋଚନା, ତର୍ଜମା, ସମୀକ୍ଷା ହୋଇଥିଲା । ଚାଷୀଙ୍କ ଅବସ୍ଥା ସୁଧାରିବା ପାଇଁ ଏହି ଅଭିଯାନରେ ଦେଶରେ ତିନୋଟି କୃଷି ଆଇନ ଅଣାଯାଇଥିଲା। ଉଦ୍ଦେଶ୍ୟ ଥିଲା ଦେଶର କୃଷକମାନେ, ବିଶେଷକରି କ୍ଷୁଦ୍ର କୃଷକମାନେ ଅଧିକ କ୍ଷମତା ପାଇବା ଉଚିତ । ସେମାନେ ସେମାନଙ୍କର ଉତ୍ପାଦର ସଠିକ୍ ମୂଲ୍ୟ ଏବଂ ଉତ୍ପାଦ ବିକ୍ରୟ ପାଇଁ ଅଧିକରୁ ଅଧିକ ବିକଳ୍ପ ପାଇବା ଉଚିତ୍ | କିନ୍ତୁ ଆମର ଉଦ୍ୟମ ସତ୍ତ୍ୱେ କିଛି ଚାଷୀଙ୍କୁ ଆମେ ଏହି ଆଇନର ମହତ୍ଵ ବୁଝାଇ ପାରିଲୁ ନାହିଁ | କୃଷି ଅର୍ଥନୀତିଜ୍ଞ ,, ବୈଜ୍ଞାନିକ, ପ୍ରଗତିଶୀଳ କୃଷକମାନେ ମଧ୍ୟ ସେମାନଙ୍କୁ କୃଷି ନିୟମର ମହତ୍ତ୍ୱ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ |

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ସରକାର କୃଷକ, ବିଶେଷକରି କ୍ଷୁଦ୍ର ଚାଷୀଙ୍କ କଲ୍ୟାଣ ପାଇଁ, ଦେଶର କୃଷି ଜଗତର ସ୍ୱାର୍ଥରେ, ଦେଶର ସ୍ୱାର୍ଥରେ, ଚାଷୀଙ୍କ ପ୍ରତି ସମ୍ପୂର୍ଣ୍ଣ ଆନ୍ତରିକତାର ସହ ଗାଁର ଗରିବ ଲୋକଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁଁ ଉତ୍ସର୍ଗୀକୃତ ମନୋଭାବ, ମହତ୍ ଉଦ୍ଦେଶ୍ୟ ସହିତ ଏହି ଆଇନ ଆଣିଥିଲେ | ଆଜି ମୁଁ ଆପଣଙ୍କୁ, ସମଗ୍ର ଦେଶକୁ କହିବାକୁ ଆସିଛି ଯେ ଆମେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନରେ ଆମେ ତିନୋଟି କୃଷି ଆଇନକୁ ରଦ୍ଦ କରିବାର ସାମ୍ବିଧାନିକ ପ୍ରକ୍ରିୟା ସମାପ୍ତ କରିବୁ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି )କୁ ଅଧିକ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହିପରି ସମସ୍ତ ବିଷୟ ଉପରେ ନିଷ୍ପତ୍ତି ନେବାକୁ ଏକ କମିଟି ଗଠନ କରାଯିବ। ଏହି କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାର, କୃଷକ, କୃଷି ବୈଜ୍ଞାନିକ, କୃଷି ଅର୍ଥନୀତିଜ୍ଞଙ୍କ ପ୍ରତିନିଧୀ ରହିବେ।