ଘର ଉପରେ ଖସିପଡ଼ିଲା ବାୟୁସେନାର ମିଗ୍ -୨୧ ବିମାନ, ତିନି ମୃତ | News Room Odisha

ଘର ଉପରେ ଖସିପଡ଼ିଲା ବାୟୁସେନାର ମିଗ୍ -୨୧ ବିମାନ, ତିନି ମୃତ

ନୂଆଦିଲ୍ଲୀ: ସୋମବାର ସକାଳେ ରାଜସ୍ଥାନର ହନୁମାନଗଡରେ ବାୟୁସେନାର ଏକ ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାହାଲୋଲ ନଗର ଅଞ୍ଚଳର ଏକ ଘର ଉପରେ ଯୁଦ୍ଧ ବିମାନ ଖସି ପଡିଥିଲା। ଏହି ଘଟଣାରେ ତିନି ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ
ଗୁରୁତର ଆହତ ହୋଇଛନ୍ତି। ବିମାନର ପାଇଲଟ ସୁରକ୍ଷିତ ଥିବା ପୋଲିସ କହିଛି। ବିମାନଟି ସୁରଟଗଡରୁ ଉଡ଼ାଣ ଭରିଥିଲା । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ମିଗ୍ -୨୧ ବିମାନ ଗୋଟିଏ ସିଟ୍ ବିଶିଷ୍ଟ ଥିଲା | ବିମାନ ଦୁର୍ଘଟଣାଗ୍ରସ୍ତ ହେବାର କିଛି ମିନିଟ ପୂର୍ବରୁ ପାଇଲଟ୍ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ସୂଚନା ଦେଇଥିଲେ। ବିମାନ ଦୁର୍ଘଟଣା ଗ୍ରସ୍ତ ହେବାର ଠିକ୍ ପୂର୍ବରୁ ପାଇଲଟ୍ ଏକ ପାରାସୁଟ୍ ସାହାଯ୍ୟରେ ନିଜକୁ ସୁରକ୍ଷିତ ବାହାର କରିଥିଲେ | ସେ ସାମାନ୍ୟ ଆହତ ହୋଇଛନ୍ତି । ବିମାନଟି ବାହଲୋଲ୍ ନଗରର ଏକ ଘର ଉପରେ ପଡିଥିଲା।