ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ବୋମା ବିସ୍ଫୋରଣ, ତିନି ମୃତ | News Room Odisha

ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ବୋମା ବିସ୍ଫୋରଣ, ତିନି ମୃତ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରରେ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ ଘରେ ବୋମା ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ସୂଚନା ଅନୁଯାୟୀ, ଭୁପତି ନଗର ପୋଲିସ ଥାନା ଅନ୍ତର୍ଗତ ଅଧୀନରେ ଥିବା ଅର୍ଜୁନ ନଗରସ୍ଥିତ ଟିଏମସିର ବୁଥ୍ ସଭାପତି ରାଜକୁମାର ମାନ୍ନାଙ୍କ ଘରେ ଏହି ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣର କାରଣ ଜଣାପଡି ନାହିଁ। ଘଟଣାସ୍ଥଳରୁ ପୋଲିସ ତିନୋଟି ମୃତଦେହ ଉଦ୍ଧାର କରିଛି। ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ବୋଲି ପୋଲିସ ଅଧିକାରୀ କହିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଉଲ୍ଲେଖଯୋଗ୍ୟ, ପୂର୍ବ ମେଦିନୀପୁରର କାନ୍ଥିରେ ସିଏମ୍ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ଏକ ରାଲି ହେବା କାର୍ଯ୍ୟକ୍ରମ ରହିଛି। କାନ୍ଥି ହେଉଛି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼। ସୂଚନାନୁସାରେ, ଶୁକ୍ରବାର ରାତିରେ କାନ୍ଥିର ଭଗବାନପୂର-୨ ବ୍ଲକର ଭୂପତିନଗର ପୋଲିସ ଥାନା ଅଧୀନରେ ଥିବା ଅର୍ଜୁନଗର ଗ୍ରାମ ପଞ୍ଚାୟତର ନରୟାବଲି ଗ୍ରାମରେ ଏହି ବିସ୍ଫୋରଣ ଘଟିଛି। ମୃତକଙ୍କ ମଧ୍ୟରେ ଟିଏମସି ନେତା ରାଜକୁମାର ମାନ୍ନା ମଧ୍ୟ ଅଛନ୍ତି। ସ୍ଥାନୀୟ ବାସିନ୍ଦା କହିବାନୁସାରେ ଏହି ଘଟଣାରେ ନିହତ ଅନ୍ୟ ଦୁଇଜଣ ହେଉଛନ୍ତି ଦେବକୁମାର ମାନ୍ନା ଏବଂ ବିଶ୍ୱଜିତ ଗାୟନ। ରାଜକୁମାର ଏବଂ ଦେବକୁମାର ହେଉଛନ୍ତି ଦୁଇ ଭାଇ।

ଅନ୍ୟପକ୍ଷରେ ବିଜେପି ଅଭିଯୋଗ କରିଛି ଯେ ଟିଏମସି ନେତାଙ୍କ ଘରେ ବୋମା ତିଆରି କରାଯାଉଥିଲା । ସେଥିପାଇଁ ଏହି ବିସ୍ଫୋରଣ ଘଟିଛି ।