ମଣିପୁରରେ ଥମୁନି ହିଂସା, ପୋଲିସ ବେଶରେ ଆସି ବୟସ୍କ ମହିଳାଙ୍କ ସହ ତିନି ଜଣଙ୍କୁ ହତ୍ୟା | News Room Odisha

ମଣିପୁରରେ ଥମୁନି ହିଂସା, ପୋଲିସ ବେଶରେ ଆସି ବୟସ୍କ ମହିଳାଙ୍କ ସହ ତିନି ଜଣଙ୍କୁ ହତ୍ୟା

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ | ରାଜ୍ୟର କାଙ୍ଗପୋକପି ଜିଲ୍ଲାରେ ଶୁକ୍ରବାର ଜଣେ ବୟସ୍କ ମହିଳାଙ୍କ ସହ ତିନି ଜଣଙ୍କୁ ହତ୍ୟା କରାଯାଇଛି । ଉଗ୍ରବାଦୀମାନେ ପୋଲିସ ଓ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) ୟୁନିଫର୍ମ ପିନ୍ଧି ଆସିଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୁଇ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏକ ମାସରୁ ଊର୍ଦ୍ଧ୍ବ କାଳ ଧରି ସଂଘର୍ଷ ଯୋଗୁଁ ଏହି ରାଜ୍ୟ ଅଶାନ୍ତ ହୋଇପଡିଛି।

କୁକି ଲୋକଙ୍କ ବସ୍ତି ଖୋକେନ୍ ଗାଁର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ କିଛି ସଶସ୍ତ୍ର ଲୋକ ଭୋର୍ ପ୍ରାୟ ୪ଟା ସମୟରେ ଗାଁରେ ପଶି ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ଚଳାଇଥିଲେ । ଏହି ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ପୋଲିସ ନିଶ୍ଚିତ କରିଛି ।

ଖୋକେନ୍‌ର ତିନି ମୃତକଙ୍କ ପରିଚୟ ଜଣାପଡ଼ିଛି । ଏମାନେ ହେଲେ ୬୫ ବର୍ଷୀୟା ଡୋମଖୋଇ, ୫୩ ବର୍ଷୀୟ ଖାଇଜାମଙ୍ଗ ଗାଇଟ ଏବଂ ୪୦ ବର୍ଷୀୟ ଜଙ୍ଗପାଓ ଟୈଥାଙ୍ଗ । ଗାଁ ବାସିନ୍ଦା ତଥା ଡୋମଖୋଇଙ୍କ ସାନଭାଇ ଥୋଙ୍ଗଖୁପ ଡୋଙ୍ଗାଲ କହିଛନ୍ତି, ପ୍ରାୟ ୪୦ ଜଣ ଲୋକ ପୋଲିସ ୟୁନିଫର୍ମ ପିନ୍ଧି ଏହି ଗାଁକୁ ଆସିଥିଲେ ‌। ପ୍ରାର୍ଥନା କରିବାକୁ ଯାଇଥିବା ଡୋମଖୋଇଙ୍କୁ ଗାଁ ଚର୍ଚ୍ଚରେ ହତ୍ୟା କରାଯାଇଥିଲା। ମୋ ଭଉଣୀ ବିଧବା ଥିବାବେଳେ ଅନ୍ୟ ଦୁଇ ମୃତକ ନିରୀହ ଚାଷୀ ଥିଲେ।

ଅନ୍ୟପକ୍ଷରେ ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ସମ୍ବନ୍ଧୀୟ ମାମଲାର ତଦନ୍ତ ପାଇଁ ସିବିଆଇ ୬ଟି ଏଫ୍ଆଇଆର୍ ରୁଜୁ କରିଛି ଏବଂ ଡିଜି ର଼୍ୟାଙ୍କର ଅଧିକାରୀଙ୍କ ନେତୃତ୍ବରେ ଏକ ଏସଆଇଟି ଗଠନ କରିଛି। ଏହି ଟିମରେ ୧୦ ଜଣ ଅଧିକାରୀ ଅଛନ୍ତି |