ମଣିପୁରରେ ପୁଣି ହିଂସା, ତିନି ମୃତ | News Room Odisha

ମଣିପୁରରେ ପୁଣି ହିଂସା, ତିନି ମୃତ

ଇମ୍ଫାଲ: ମଣିପୁରରେ ପୁଣି ଏକ ହିଂସା ଘଟଣାରେ ଶୁକ୍ରବାର ଉକ୍ରୁଲ ଜିଲ୍ଲାର କୁକି ଥୋୱାଇ ଗ୍ରାମରେ ଗୁଳି ବିନିମୟ ପରେ ତିନି ଜଣଙ୍କ ମୃତଦେହ ମିଳିଛି। ରାଜ୍ୟରେ ହିଂସା ବ୍ୟାପିବା ପରଠୁ ପ୍ରଥମ ଥର ନାଗା ସମ୍ପ୍ରଦାୟର ପ୍ରାଧାନ୍ୟ ଥିବା ଉକ୍ରୁଲ ଜିଲ୍ଲାରେ ଏଭଳି ଆକ୍ରମଣ ହୋଇଛି ।

ସଦ୍ୟତମ ହିଂସା ଘଟଣା ଲିଟାନ ପୋଲିସ ଥାନା ପରିସରରେ ଥିବା ଏକ ଗ୍ରାମରେ ଘଟିଥିଲା । ଶୁକ୍ରବାର ସକାଳେ ଏହି ଅଞ୍ଚଳରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା। ପୋଲିସ ଆଖପାଖ ଗାଁ ଏବଂ ଜଙ୍ଗଲରେ ତଲାସି ପରେ ୨୪ ରୁ ୩୫ ବର୍ଷ ବୟସର ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଅଧିକାରୀଙ୍କ କହିବାନୁସାରେ, ଜବତ ତିନି ଶବରେ ଧାରୁଆ ଛୁରୀରେ ଆକ୍ରମଣର ଚିହ୍ନ ରହିଥିଲା ଏବଂ ସେମାନଙ୍କ ହାତ ଓ ଗୋଡ ମଧ୍ୟ କାଟି ଦିଆଯାଇଥିଲା।

ମଣିପୁରର ଜନବହୁଳ ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବି ବିରୋଧରେ ମେ ୩ରେ ପାହାଡ଼ିଆ ଜିଲ୍ଲା ଗୁଡ଼ିକରେ ‘ଆଦିବାସୀ ଏକତା ପଦଯାତ୍ରା’ ବେଳେ ରାଜ୍ୟରେ ହିଂସା ଆରମ୍ଭ ହୋଇଥିଲା। ସେବେଠାରୁ ଜାତିଗତ ହିଂସାରେ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ମୈତେଇମାନେ ମଣିପୁରର ସମୁଦାୟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ଏବଂ ଏମାନେ ଇମ୍ଫାଲ୍ ଘାଟିରେ ବସବାସ କରନ୍ତି । ଅନ୍ୟପକ୍ଷରେ ଆଦିବାସୀ ନାଗା ଏବଂ କୁକି ସମ୍ପ୍ରଦାୟ ଲୋକଙ୍କ ସଂଖ୍ୟା ୪୦ ପ୍ରତିଶତ । ଏମାନେ ପାହାଡ଼ିଆ ଜିଲ୍ଲାରେ ବାସ କରନ୍ତି।