କଫ ସିରପ୍ ମୃତ୍ୟୁ ମାମଲା: ନୋଏଡା ସ୍ଥିତ ଔଷଧ କମ୍ପାନୀର ତିନି ଅଧିକାରୀ ଗିରଫ | News Room Odisha

କଫ ସିରପ୍ ମୃତ୍ୟୁ ମାମଲା: ନୋଏଡା ସ୍ଥିତ ଔଷଧ କମ୍ପାନୀର ତିନି ଅଧିକାରୀ ଗିରଫ

ନୂଆଦିଲ୍ଲୀ: ଉଜବେକିସ୍ତାନରେ କଫ ସିରପ୍ ଜନିତ ମୃତ୍ୟୁ ଘଟଣାରେ ପୋଲିସ ନୋଏଡା ସ୍ଥିତ ଏକ ଔଷଧ କମ୍ପାନୀର ତିନି ଜଣ ଅଧିକାରୀଙ୍କୁ ଗିରଫ କରିଛି। ଡିସେମ୍ବରରେ ଭାରତୀୟ କଫ ସିରପ୍ ପିଇ ୧୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା ବୋଲି ଉଜବେକିସ୍ତାନ ଦାବି କରିଥିଲା ।

ଭାରତର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ର ଡ୍ରଗ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ଆଧାରରେ ଗୁରୁବାର (ମାର୍ଚ୍ଚ ୨) ଭାରତୀୟ ଔଷଧ କମ୍ପାନୀ ମାରିଅନ୍ ବାୟୋଟେକ୍ ର ଦୁଇ ନିର୍ଦ୍ଦେଶକଙ୍କ ସମେତ ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ (ଏଫ୍ଏସଡିଏ) ବିଭାଗ ସେକ୍ଟର-୬୭ରେ ଥିବା ଔଷଧ କମ୍ପାନୀ ମାରିଅନ୍ ବାୟୋଟେକ୍ ପିଭି ଲିମିଟେଡର ଲାଇସେନ୍ସକୁ ରଦ୍ଦ କରିଦେଇଥିଲା । ଡ୍ରଗ୍ ରେକର୍ଡ ମେଣ୍ଟନାନ୍ସ ବ୍ୟତୀତ କଞ୍ଚାମାଲ କ୍ରୟ ସମ୍ପର୍କରେ ଠିକ୍ ସମୟରେ ସୂଚନା ପ୍ରଦାନ ନକରିବାରୁ କମ୍ପାନୀର ଡ୍ରଗ୍ ଉତ୍ପାଦନ ଲାଇସେନ୍ସ ରଦ୍ଦ ହୋଇଥିଲା ।

ଜଣେ ଅଧିକାରୀ କହିଛନ୍ତି ଯେ କମ୍ପାନୀର ମାଲିକାଣି ଫେରାର୍ ଅଛନ୍ତି । ତାଙ୍କ ସନ୍ଧାନ ଚାଲିଛି। ତାଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।