ଟି-୨୦ ବିଶ୍ୱକପ: ଆଇସିସି ଘୋଷଣା କଲା 'ଟିମ୍ ଅଫ୍ ଦି ଟୁର୍ନାମେଣ୍ଟ', ଭାରତର ୩ ଖେଳାଳି ସାମିଲ | News Room Odisha

ଟି-୨୦ ବିଶ୍ୱକପ: ଆଇସିସି ଘୋଷଣା କଲା ‘ଟିମ୍ ଅଫ୍ ଦି ଟୁର୍ନାମେଣ୍ଟ’, ଭାରତର ୩ ଖେଳାଳି ସାମିଲ

ମେଲବୋର୍ଣ୍ଣ: ଆଇସିସି ସୋମବାର ଟି-୨୦ ବିଶ୍ୱକପ ୨୦୨୨ର ‘ଟିମ୍ ଅଫ୍ ଦି ଟୁର୍ନାମେଣ୍ଟ’ ଘୋଷଣା କରିଛି | ଏହି ଦଳରେ ଚାମ୍ପିୟନ ଇଂଲଣ୍ଡର ସର୍ବାଧିକ ୪ ଜଣ ଖେଳାଳି ରହିଥିବା ବେଳେ ଦ୍ୱାଦଶ ସଦସ୍ୟ ସମେତ ଭାରତର ୩ ଖେଳାଳି ସ୍ଥାନ ପାଇଛନ୍ତି । ଆଇସିସି ଟିମରେ ପାକିସ୍ତାନର ଦୁଇ ଖେଳାଳି ସ୍ଥାନ ପାଇଥିବାବେଳେ ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେରୁ ଜଣେ ଲେଖାଏଁ ଖେଳାଳିଙ୍କୁ ମନୋନୀତ କରାଯାଇଛି।

ଆଇସିସି ଜୋସ୍ ବଟଲର ଏବଂ ଆଲେକ୍ସ ହାଲ୍ସଙ୍କୁ ଓପନର୍ ଭାବରେ ଚୟନ କରିଛି । ଏହାଛଡ଼ା ଜୋସ୍ ବଟଲରଙ୍କୁ ମଧ୍ୟ ଏହି ଦଳର ଅଧିନାୟକ କରାଯାଇଛି | ଟୁର୍ନାମେଣ୍ଟର ଟିମରେ ତିନି ନମ୍ବରରେ ବିରାଟ କୋହଲିଙ୍କ ନାମ ରହିଛି । କୋହଲି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ସେ ୬ ଟି ଇନିଂସରେ ମୋଟ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଦଳର ଚାରି ନମ୍ବର ସ୍ଥାନରେ ସୁର୍ଯ୍ୟକୁମାର ଯାଦବ ରହିଛନ୍ତି | ପଞ୍ଚମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଗ୍ଲେନ୍ ଫିଲିପ୍ସଙ୍କ ନାମ ରହିଛି, ଯିଏ ଏକ ଶତକ ସହ ଟୁର୍ନାମେଣ୍ଟରେ ମୋଟ ୨୦୧ ରନ୍ କରିଥିଲେ। ଜିମ୍ବାୱେର ସିକନ୍ଦର ରାଜା ଦଳର ଷଷ୍ଠ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ଟି-୨୦ ବିଶ୍ୱକପ ୨୦୨୨ର ଏହି ଶ୍ରେଷ୍ଠ ଦଳରେ ପାକିସ୍ତାନର ଶାଦାବ ଖାନ ସପ୍ତମ ସ୍ଥାନରେ ଅଛନ୍ତି । ସେ ବିଶ୍ବକପରେ ଉଭୟ ବଲ୍ ଓ ବ୍ୟାଟ୍ ସହ ନିଜ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ଅଷ୍ଟମ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ବୋଲିଂ ଅଲରାଉଣ୍ଡର ସାମ କରନ, ଯିଏ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନ୍ରିକ୍ ନର୍ଜେ ନବମ, ଇଂଲଣ୍ଡର ମାର୍କ ଉଡ୍ ୧୦ ନମ୍ବରରେ ଏବଂ ଶାହିନ୍ ଶାହା ଆଫ୍ରିଦି ୧୧ ନମ୍ବରରେ ଅଛନ୍ତି। ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ବାଦଶ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି |

ଟି-୨୦ ବିଶ୍ୱକପ ୨୦୨୨: ଟିମ୍ ଅଫ୍ ଦି ଟୁର୍ନାମେଣ୍ଟ

ଜୋସ୍ ବଟଲର୍ (କ୍ୟାପଟେନ/ଓ୍ବିକେଟ୍ କିପର) (ଇଂଲଣ୍ଡ)
ଆଲେକ୍ସ ହେଲ୍ସ (ଇଂଲଣ୍ଡ)
ବିରାଟ କୋହଲି (ଭାରତ)
ସୂର୍ଯ୍ୟକୁମାର ଯାଦବ (ଭାରତ)
ଗ୍ଲେନ୍ ଫିଲିପ୍ସ (ନ୍ୟୁଜିଲ୍ୟାଣ୍ଡ)
ସିକନ୍ଦର ରଜା (ଜିମ୍ବାୱେ)
ଶାଦାବ ଖାନ (ପାକିସ୍ତାନ)
ସାମ୍ କରନ୍ (ଇଂଲଣ୍ଡ)
ଏନ୍ରିକ୍ ନର୍ଜେ (ଦକ୍ଷିଣ ଆଫ୍ରିକା)
ମାର୍କ ଉଡ୍ (ଇଂଲଣ୍ଡ)
ଶାହିନ୍ ଆଫ୍ରିଦି (ପାକିସ୍ତାନ)
ଦ୍ୱାଦଶ ସଦସ୍ୟ- ହାର୍ଦ୍ଦିକ ପାଣ୍ଡ୍ୟା (ଭାରତ)