ତିନି ଦଳ, ଗୋଟିଏ ସ୍ଥାନ: ବିଶ୍ବକପ ସେମିଫାଇନାଲରେ କାହାକୁ ଭେଟିବ ଭାରତ ? | News Room Odisha

ତିନି ଦଳ, ଗୋଟିଏ ସ୍ଥାନ: ବିଶ୍ବକପ ସେମିଫାଇନାଲରେ କାହାକୁ ଭେଟିବ ଭାରତ ?

କୋଲକାତା: ଆଫଗାନିସ୍ତାନ ବିପକ୍ଷରେ ଚମତ୍କାର ବିଜୟ ପରେ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପ୍ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବା ସ୍ପଷ୍ଟ ହୋଇଛି । କିନ୍ତୁ ଭାରତ ବିପକ୍ଷରେ ଖେଳିବାକୁ ଦୌଡ଼ରେ ଅଛନ୍ତି ତିନି ଦଳ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ।

ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ପାଖରେ ସମାନ ୮ ପଏଣ୍ଟ ଲେଖାଏଁ ରହିଛି । କେବଳ ନେଟ୍ ରନ୍ ରେଟ୍ ଆଧାରରେ ହିଁ ସେମାନଙ୍କ କ୍ରମରେ ଅନ୍ତର ରହିଛି ।

ଏହି ତିନି ଦଳ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ଉନ୍ନତ ରନ୍ ରେଟ୍ (+ ୦.୩୯୮) ରହିଛି । ଦଳ ବେଙ୍ଗାଲୁରୁରେ ଶେଷ ଗ୍ରୁପ୍ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ । ଭଲ ବ୍ୟବଧାନରେ ଜିତିବା ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଚାହିଁବ ଯେ ପାକିସ୍ତାନ (+ ୦.୦୩୬) ଓ ଆଫଗାନିସ୍ତାନ (-୦.୦୩୮) ସେମାନଙ୍କ ଶେଷ ଲିଗ୍ ମ୍ୟାଚ୍ ହାରନ୍ତୁ |

ନ୍ୟୁଜିଲ୍ୟାଣ୍ଡ କ୍ରମାଗତ ଚାରିଟି ମ୍ୟାଚ୍ ହାରିଛି ଏବଂ ବେଙ୍ଗାଲୁରୁରେ ମ୍ୟାଚ୍ ସମୟରେ ବର୍ଷା ହେବା ସମ୍ଭାବନା ରହିଛି।

ଇଡେନ୍ ଗାର୍ଡେନ୍ସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ହେବା ସମ୍ଭାବନାକୁ ବି ଏଡ଼ାଇ ଦେଇ ହେବ ନାହିଁ । ଏଥିପାଇଁ ପାକିସ୍ତାନକୁ ଶନିବାର ଇଂଲଣ୍ଡ ବିପକ୍ଷରେ ଧମାକାଦାର ବିଜୟ ହାସଲ କରିବାକୁ ପଡ଼ିବ।

ବାବର ଆଜମଙ୍କ ଦଳ ଫର୍ମକୁ ଫେରି ଆସୁଥିବା ବେଳେ ସେମିଫାଇନାଲ ଟିକେଟ୍ ହାସଲ କରିବାକୁ ଦଳକୁ ଏକ ବଡ଼ ବିଜୟର ଆବଶ୍ୟକତା ରହିଛି | ନ୍ୟୁଜିଲ୍ୟାଣ୍ଡ-ଶ୍ରୀଲଙ୍କା ମ୍ୟାଚ୍ ପରେ ପାକିସ୍ତାନ ଏହାର ଶେଷ ଲିଗ୍ ମ୍ୟାଚ୍ ଖେଳିବ । ତେଣୁ ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ କେତେ ବ୍ୟବଧାନରେ ଜିତିବାକୁ ହେବ ତାହା ଜାଣିବା ପାଇଁ ଆଜମଙ୍କ ଦଳ ଭଲ ସ୍ଥିତିରେ ରହିବ ।

ଆଫଗାନିସ୍ତାନ ନିଜ ଶେଷ ଲିଗ୍ ମ୍ୟାଚରେ ଶୁକ୍ରବାର ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏପରି ସ୍ଥିତିରେ ପାକିସ୍ତାନୀ ଦଳ ଶନିବାର ଇଡେନ୍ ଗାର୍ଡେନ୍ସରେ ଇଂଲଣ୍ଡ ସହ ଖେଳିବା ବେଳେ ନେଟ୍ ରନ୍ ରେଟ୍ ନେଇ ଭଲ ଭାବେ ଅବଗତ ହୋଇପାରିବ।

ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଆଫଗାନିସ୍ତାନକୁ ଦକ୍ଷିଣ ଆଫ୍ରିକାକୁ ବିପୁଳ ବ୍ୟବଧାନରେ ପରାସ୍ତ କରିବାକୁ ପଡ଼ିବ । କାରଣ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ତୁଳନାରେ ସେମାନଙ୍କ ନେଟ୍ ରନ୍ ରେଟ୍ ସବୁଠୁ ଖରାପ ରହିଛି ।

ଯଦି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ପରାସ୍ତ ହୁଅନ୍ତି, ତେବେ ସେମିକୁ ଉନ୍ନୀତ ହେବା ପାଇଁ ଆଫଗାନିସ୍ତାନକୁ କେବଳ ଏକ ବିଜୟ ଆବଶ୍ୟକ |

ନେଦରଲାଣ୍ଡସ୍ ଦଳର ୪ ପଏଣ୍ଟ ରହିଛି । ଗାଣିତିକ ଦୃଷ୍ଟିରୁ ଡଚ୍ ଟିମର ମଧ୍ୟ ସେମିଫାଇନାଲ ଆଶା ବଞ୍ଚିଛି | ଯଦି ନେଦରଲାଣ୍ଡସ୍ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜିତେ ତେବେ ଏହାର ୮ ପଏଣ୍ଟ ହୋଇଯିବ | ନେଦରଲାଣ୍ଡସ୍ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଇଂଲଣ୍ଡ ଓ ଭାରତ ଭଳି ବଡ଼ ଟିମ୍ ବିପକ୍ଷରେ ଖେଳିବାକୁ ଥିବାବେଳେ ଦଳକୁ ବଡ଼ ବିପର୍ଯ୍ୟୟ ଘଟାଇବାକୁ ପଡ଼ିବ । କାରଣ ସେମାନଙ୍କ ନେଟ୍ ରନ୍ ରେଟ୍ ମାଇନସ୍ ୧.୫୦୪ ରହିଛି । ତେବେ ନେଦରଲାଣ୍ଡସର ସେମିଫାଇନାଲ ସମ୍ଭାବନା କମ୍ । କାରଣ ଦଳ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନର ପରାଜୟ ପାଇଁ ମଧ୍ୟ ପ୍ରାର୍ଥନା କରିବାକୁ ପଡ଼ିବ ।