ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଏକତରଫା ବିଜୟ ଅଭିମୁଖେ ତୃଣମୂଳ କଂଗ୍ରେସ | News Room Odisha

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଏକତରଫା ବିଜୟ ଅଭିମୁଖେ ତୃଣମୂଳ କଂଗ୍ରେସ

କୋଲକାତା: ପଶ୍ଚିମବଙ୍ଗରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଭୋଟ୍ ଗଣତି ଜୁଲାଇ ୧୧ରୁ ଆରମ୍ଭ ହୋଇଛି । ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ବିପୁଳ ତଥା ଏକତରଫା ବିଜୟ ଆଡ଼କୁ ଅଗ୍ରସର ହେଉଛି ‌ । ଗ୍ରାମ ପଞ୍ଚାୟତ ସ୍ତରରେ ଟିଏମସି ଏପର୍ଯ୍ୟନ୍ତ ୧୮,୬୦୬ଟି ଆସନ ଜିତିଥିବା ବେଳେ ୮୧୬୦ଟି ଆସନରେ ଆଗୁଆ ରହିଛି। ବିରୋଧୀ ବିଜେପି ୪୪୮୨ ଟି ଆସନ ପାଇଛି ଏବଂ ୨୪୧୯ ଟି ଆସନରେ ଅଗ୍ରଣୀ ରହିଛି। ଏଥି ସହିତ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ) ୧୪୨୪ଟି ଆସନ ଜିତି ୯୨୨ଟି ଆସନରେ ଆଗୁଆ ରହିଛି। ଏହାର ସହଯୋଗୀ କଂଗ୍ରେସ ୧୦୭୩ ଟି ଆସନ ଜିତିଛି ଏବଂ ୬୯୩ଟି ଆସନରେ ଆଗୁଆ ରହିଛି।

ନବ ଗଠିତ ଆଇଏସ୍ଏଫ୍ ସହ ଅନ୍ୟ ଦଳ ଗୁଡ଼ିକ ୧୩୬୨ଟି ଆସନରେ ଆଗୁଆ ଅଛନ୍ତି। ଅନ୍ୟପକ୍ଷରେ ଟିଏମସି ବିଦ୍ରୋହୀଙ୍କ ସମେତ ସ୍ବାଧୀନ ଦଳ ୭୧୮ଟି ସିଟ୍ ଜିତିଥିବା ବେଳେ ୨୧୬ଟି ଆସନରେ ଆଗରେ ଅଛନ୍ତି।

ପଞ୍ଚାୟତ ସମିତିର ଫଳାଫଳ ମଧ୍ୟ ଘୋଷଣା ହେବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଟିଏମସି ୫୫ଟି ଆସନ ଜିତିଛି ଏବଂ ୭୩ଟି ଆସନରେ ଆଗୁଆ ରହିଛି | ଜଣେ ଏସ୍ଇସି ଅଧିକାରୀ କହିଛନ୍ତି, “ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଏବଂ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ। ବାଲଟ୍ ପେପର ଗଣତି ଏବଂ ସମ୍ପୂର୍ଣ୍ଣ ଫଳାଫଳ ଆସିବାକୁ ସମୟ ଲାଗିବ।”

ଅଧିକାରୀ କହିଛନ୍ତି ଯେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାୟ ୭୪,୦୦୦ ଆସନ ପାଇଁ ଭୋଟ୍ ଗଣତି ଚାଲିଛି। ଏଥିମଧ୍ୟରେ ୯୭୩୦ ପଞ୍ଚାୟତରାଜ ସମିତି ଆସନ ଏବଂ ୯୨୮ ଜିଲ୍ଲା ପରିଷଦ ଆସନ ମଧ୍ୟ ସାମିଲ | ରାଜ୍ୟର ୨୨ଟି ଜିଲ୍ଲାରେ ପ୍ରାୟ ୩୩୯ ଗଣତି କେନ୍ଦ୍ର ସ୍ଥାପନ କରାଯାଇଛି |

ସମସ୍ତ ଗଣତି କେନ୍ଦ୍ରରେ ସଶସ୍ତ୍ର ରାଜ୍ୟ ପୋଲିସ୍ କର୍ମଚାରୀ ଏବଂ କେନ୍ଦ୍ରୀୟ ବାହିନୀକୁ ମୁତୟନ କରାଯାଇଛି । କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଗଣତି କେନ୍ଦ୍ର ବାହାରେ ଧାରା ୧୪୪ ଲାଗୁ କରାଯାଇଛି |

ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ଆସିବା କ୍ଷଣି ଟିଏମସି ଏବଂ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଗଣନା କେନ୍ଦ୍ରରେ ବିରୋଧୀ ଏଜେଣ୍ଟମାନଙ୍କୁ ପ୍ରବେଶ ରୋକିବା ସହ ଭୋଟ୍ ଚୋରି କରିବା ପାଇଁ ଶାସକ ଦଳ ଶେଷ ଉଦ୍ୟମ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ଏହି ଅଭିଯୋଗକୁ ଖଣ୍ଡନ କରି ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, “ପରାଜୟ ଆଶଙ୍କାରେ ସେମାନେ ଏପରି ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ବିଜେପି ଏହାର ସାଂଗଠନିକ ବିଫଳତା ପାଇଁ ଏପରି ବାହାନା କରୁଛି ବୋଲି ସେ କହିଛନ୍ତି ।

ଶନିବାର ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳେ ବ୍ୟାପକ ହିଂସା ଘଟି ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଜୁନ୍ ୮ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟରେ ନିର୍ବାଚନୀ ହିଂସାରେ ଏଯାବତ୍ ୩୦ ଜଣଙ୍କ ମୃତ୍ୟୁ ହୋଇଛି।

ଶନିବାର ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ୮୦.୭୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା ।