ଏଣିକି ଟ୍ରେନ୍ ଟିକେଟ୍ ବାତିଲ କଲେ ବି ଲାଗିବ ଜିଏସଟି | News Room Odisha

ଏଣିକି ଟ୍ରେନ୍ ଟିକେଟ୍ ବାତିଲ କଲେ ବି ଲାଗିବ ଜିଏସଟି

ନୂଆଦିଲ୍ଲୀ: ଏବେ ଟ୍ରେନ୍ ଟିକେଟ୍ ବାତିଲ କରିବାକୁ ହେଲେ ଆପଣଙ୍କୁ ନିଜ ପକେଟ୍ ଆଉ ଟିକିଏ ଢ଼ିଲା କରିବାକୁ ପଡ଼ିବ | କାରଣ ବର୍ତ୍ତମାନ କନଫର୍ମ ଟିକେଟ୍ ବାତିଲ କରିବା ଆହୁରି ମହଙ୍ଗା ହେବ | ଟିକେଟ୍ ବାତିଲ ଚାର୍ଜ ଉପରେ ମଧ୍ୟ ଜିଏସଟି ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ଦିନ ଧରି ଏହାକୁ ନେଇ ବିବାଦ ଲାଗି ରହିଥିଲା, କିନ୍ତୁ ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି। ଏହି ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ମନ୍ତ୍ରଣାଳୟ ଏକ ଯୁକ୍ତି ବାଢ଼ିଛି । ମନ୍ତ୍ରଣାଳୟ କହିଛି ଯେ ଯେପରି ଏକ ଚୁକ୍ତି ବାତିଲ ପାଇଁ ଜରିମାନା ଦେବାକୁ ପଡିଥାଏ, ସେହିଭଳି ଟିକେଟ୍ ବାତିଲ ପାଇଁ ମଧ୍ୟ ଜିଏସଟି ଦେବାକୁ ପଡ଼ିବ ।

ଅର୍ଥ ମନ୍ତ୍ରଣାଳୟର ଟ୍ୟାକ୍ସ ରିସର୍ଚ୍ଚ ୟୁନିଟ୍ ନିକଟରେ ଏ ବାବଦରେ ଏକ ସର୍କୁଲାର ଜାରି କରିଛି। ଏଥିରେ କୁହାଯାଇଛି, ଟିକେଟ୍ ବୁକିଂ ସମୟରେ ଗ୍ରାହକ ଯେଉଁ ହାରରେ ଜିଏସଟି ପ୍ରଦାନ କରିଥିଲେ, ବାତିଲ ସମୟରେ ମଧ୍ୟ ସମାନ ହାରରେ ଜିଏସଟି ଦେବାକୁ ପଡ଼ିବ। ରେଳ ଟିକେଟ୍ ବୁକିଂ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରାଯାଉଛି ଏବଂ ବର୍ତ୍ତମାନ ଟିକେଟ୍ ବାତିଲ ଚାର୍ଜ ଉପରେ ମଧ୍ୟ ୫ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ।

ଉଦାହରଣ ସ୍ୱରୂପ, ଯଦି ଜଣେ ଯାତ୍ରୀ ଏସି ଫାର୍ଷ୍ଟ କ୍ଲାସରେ କରିଥିବା ଟିକେଟ୍ ବାତିଲ୍ କରନ୍ତି, ତେବେ ତାଙ୍କୁ ୨୪୦ ଟଙ୍କା ବାତିଲ୍ ଚାର୍ଜ ଦେବାକୁ ପଡିବ | ପୁଣି ୨୪୦ ଟଙ୍କା ବାତିଲ ଚାର୍ଜ ସହ ତାଙ୍କୁ ୫% ଜିଏସଟି ଅର୍ଥାତ୍ ୧୨ ଟଙ୍କା ଅଧିକ ଦେବାକୁ ପଡିବ। ସମୟ ଅନୁଯାୟୀ ଟିକେଟ୍ ବାତିଲ ଉପରେ ରେଳବାଇ ଚାର୍ଜ ଆଦାୟ କରେ। ଯଦି ଟ୍ରେନ ଛାଡିବାର ୪୮ ଘଣ୍ଟା ପୂର୍ବରୁ ଯଦି ଏକ କନଫର୍ମ ଟିକେଟ୍ ବାତିଲ ହୁଏ, ତେବେ ଏସି ପ୍ରଥମ ଶ୍ରେଣୀ ପାଇଁ ବାତିଲ ଚାର୍ଜ ୨୪୦ ଟଙ୍କା ଏବଂ ଏସି-୨ ଟିୟର ଟିକେଟ୍ ବାତିଲ ଶୁଳ୍କ ୨୦୦ ଟଙ୍କା କଟାଯାଇଥାଏ | ଏସି-୩ ପାଇଁ ବାତିଲ୍ ପେନାଲ୍ଟି ହେଉଛି ୧୮୦ ଟଙ୍କା |

ଯଦି ଆପଣ ଟ୍ରେନ ଯାତ୍ରାର ନିର୍ଦ୍ଧାରିତ ସମୟଠାରୁ ଦୁଇ ଦିନରୁ ୧୨ ଘଣ୍ଟା ମଧ୍ୟରେ ଏକ କନଫର୍ମ ଟିକେଟ୍ ବାତିଲ୍ କରନ୍ତି, ତେବେ ବାତିଲ୍ ଶୁଳ୍କ ବାବଦକୁ ୨୫ ପ୍ରତିଶତ ଅର୍ଥ କଟାଯିବ | ସେହିଭଳି ଯଦି ଯାତ୍ରାର ୧୨ ଘଣ୍ଟାରୁ ଚାରି ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ ହୁଏ, ତେବେ ଟିକେଟ୍ ର ୫୦ ପ୍ରତିଶତ ଚାର୍ଜ କଟାଯାଇଥାଏ | ଏହାଛଡ଼ା ଏବେ ଆପଣଙ୍କୁ ବାତିଲ ଚାର୍ଜ ଉପରେ ୫% ଜିଏସଟି ଦେବାକୁ ପଡିବ | ଅର୍ଥାତ୍ ଟିକେଟ୍ ର ଅଧା ଟଙ୍କା ମଧ୍ୟ ଯିବ ଏବଂ ଏହା ଉପରେ ୫% ଜିଏସଟି ମଧ୍ୟ ଆଦାୟ କରାଯିବ | ଯଦି ଆପଣ ଯାତ୍ରାର ଚାରି ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ୍ କରନ୍ତି, ତେବେ ଆପଣଙ୍କୁ କୌଣସି ଟଙ୍କା ଫେରସ୍ତ ମିଳିବ ନାହିଁ |