ଟନେଲ ଭିତରେ କଟିଲା ୧୨୦ ଘଣ୍ଟା, ବିଗୁଡୁଛି ଶ୍ରମିକଙ୍କ ସ୍ବାସ୍ଥ୍ୟ | News Room Odisha

ଟନେଲ ଭିତରେ କଟିଲା ୧୨୦ ଘଣ୍ଟା, ବିଗୁଡୁଛି ଶ୍ରମିକଙ୍କ ସ୍ବାସ୍ଥ୍ୟ

ନୂଆଦିଲ୍ଲୀ: ଯମୁନେତ୍ରୀ ଜାତୀୟ ରାଜପଥରେ ସିଲ୍କୟାରା ଡାଣ୍ଡାଲଗାଓଁ ଟନେଲ ଭୁଶୁଡ଼ିବାର ୧୨୦ ଘଣ୍ଟା ପରେ ମଧ୍ୟ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରି ନାହିଁ। ଫସି ରହିଥିବା କିଛି ଶ୍ରମିକ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ସେମାନଙ୍କ ମୁଣ୍ଡବିନ୍ଧା ଓ ବାନ୍ତି ହେଉଛି । ଅଧିକାରୀ କହିଛନ୍ତି, ଟନେଲ ବାହାରେ ମୁତୟନ ଡାକ୍ତରମାନଙ୍କୁ ଭିତରେ ଫସି ରହିଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ କୁହାଯାଇଛି।

ଉତ୍ତରକାଶୀର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଆରସିଏସ୍ ପାନୱର କହିଛନ୍ତି, ଭିତରେ ଫସି ରହିଥିବା କିଛି ଲୋକ ସାମାନ୍ୟ ମୁଣ୍ଡବିନ୍ଧା ଏବଂ ବାନ୍ତି ହେବା ଅଭିଯୋଗ କରିଛନ୍ତି । ଶ୍ରମିକମାନଙ୍କୁ ପାଇଁ ଆମେ ଆବଶ୍ୟକୀ ଔଷଧ, ମଲ୍ଟିଭିଟାମିନ୍, ଗ୍ଲୁକୋଜ୍ ଏବଂ ଶୁଖିଲା ଫଳ ଏକ ଛଅ ଇଞ୍ଚ୍ ପାଇପ୍ ମାଧ୍ୟମରେ ପଠାଉଛୁ।

ଅପରପକ୍ଷରେ ଟନେଲ ଭିତରେ ଫସି ରହିଥିବା ଲୋକଙ୍କ ପରିବାର ସଦସ୍ୟ ଏବଂ ସହକର୍ମୀମାନେ ସେମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି ।

ଗତକାଲି ଦିଲ୍ଲୀରୁ ଅଣାଯାଇଥିବା ଏକ ବିଶାଳ ଡ୍ରିଲିଂ ମେସିନ୍ ଦ୍ବାରା କାମ ଚାଲିଛି । ଡ୍ରିଲିଂ ପରେ ଏକ ୯୦୦ ଏମ୍ଏଲ୍ ଷ୍ଟିଲ୍ ପାଇପ୍ ପୂରାଇ ଶ୍ରମିକ ମାନଙ୍କୁ ବାହାର କରିବାକୁ ଉଦ୍ୟମ କରାଯିବ । ଏଭଳି ଉଦ୍ଧାର କାର୍ଯ୍ୟରେ ଅଭିଜ୍ଞତା ଥିବା ଥାଇଲ୍ୟାଣ୍ଡ ଓ ନରଓ୍ବେର ବିଶେଷଜ୍ଞଙ୍କ ଠାରୁ ମଧ୍ୟ ସହାୟତା ନିଆଯାଇଛି । ଜଣେ ଅଧିକାରୀଙ୍କ କହିବା ମୁତାବକ ଏହି ଉଦ୍ଧାର କାର୍ଯ୍ୟ ଆଉ ତିନି ଦିନ ଲାଗିପାରେ।