୧୩ ବର୍ଷ ପରେ ଅହମ୍ମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ | News Room Odisha

୧୩ ବର୍ଷ ପରେ ଅହମ୍ମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ୧୩ ବର୍ଷ ତଳେ ଘଟିଥିବା ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଶୁଣାଣି ଶେଷ ହୋଇଛି। ଏହି ମାମଲାରେ ସ୍ୱତନ୍ତ୍ର କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାରେ ମୋଟ ୭୭ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ପ୍ରାୟ ୧୩ବର୍ଷର ଶୁଣାଣି ସମୟରେ ୧୧୦୦ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

୨୦୦୮ ଅହମ୍ମଦାବାଦ ବୋମା ବିସ୍ଫୋରଣରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଡିସେମ୍ବର ୨୦୦୯ ଠାରୁ ଏହି ମାମଲାର ଶୁଣାଣି ଚାଲିଥିଲା। ଗୁରୁବାର ଦିନ ସ୍ୱତନ୍ତ୍ର ଜଜ୍ ଆର୍ ପଟେଲ ଏହି ମାମଲାର ଶୁଣାଣି ଶେଷ ହୋଇଥିବା ଘୋଷଣା କରି ରାୟ ସଂରକ୍ଷିତ ରଖିଥିଲେ।

୨୬ ଜୁଲାଇ ୨୦୦୮ରେ ଅହମ୍ମଦାବାଦ ସହରରେ ୭୦ ମିନିଟର ବ୍ୟବଧାନରେ ମୋଟ ୨୧ ବୋମା ବିସ୍ଫୋରଣ ଘଟିଥିଲା। ଏହି ବୋମା ବିସ୍ଫୋରଣରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଥିଲେ। ‘ଇଣ୍ଡିଆନ ମୁଜାହିଦ୍ଦିନ’ ସହ ଜଡିତ ଆତଙ୍କବାଦୀ ଏହି ବୋମା ବିସ୍ଫୋରଣ କରିଛନ୍ତି ପୋଲିସ କହିଥିଲା । ‘ଇଣ୍ଡିଆନ ମୁଜାହିଦ୍ଦିନ’ ସିମି ସହ ଜଡିତ ଏକ ସଂଗଠନ ବୋଲି କୁହାଯାଉଛି। ଚାର୍ଜସିଟ୍ ରେ କୁହାଯାଇଥିଲା ଯେ ୨୦୦୨ରେ ଗୋଦ୍ରା ଘଟଣା ପରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାର ପ୍ରତିଶୋଧ ନେବା ପାଇଁ ଭାରତୀୟ ମୁଜାହିଦ୍ଦିନ ଏହି ସିରିଜ ବିସ୍ଫୋରଣ କରିଥିଲା। ଅହମ୍ମଦାବାଦରେ ବିସ୍ଫୋରଣର କିଛି ଦିନ ପରେ ସୁରଟର ବିଭିନ୍ନ ସ୍ଥାନରୁ ପୋଲିସ ବୋମା ଜବତ କରିଥିଲା। ଏହା ପରେ ଅହମ୍ମଦାବାଦରେ ୨୦ ଏବଂ ସୁରଟରେ ୧୫ଟି ଏଫ୍ଆଇଆର୍ ରୁଜୁ ହୋଇଥିଲା |