ଅମିତ ଶାହାଙ୍କ ଜୋତା ଉଠାଇଲେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ, ଟିଆରଏସ୍ କହିଲା 'ଗୁଲାମ' | News Room Odisha

ଅମିତ ଶାହାଙ୍କ ଜୋତା ଉଠାଇଲେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ, ଟିଆରଏସ୍ କହିଲା ‘ଗୁଲାମ’

ହାଇଦ୍ରାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବାନ୍ଦି ସଞ୍ଜୟ ଏବଂ ରାଜ୍ୟ ବିଜେପିର ସମସ୍ତ ନେତା ମଧ୍ୟ ଉପସ୍ଥିତ ଥିଲେ। ଅମିତ ଶାହା ସିକନ୍ଦରାବାଦର ଉଜୈନି ମହାକାଳୀ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ। ମନ୍ଦିରରୁ ବାହାରକୁ ଆସିବା ପରେ ବାନ୍ଦି ସଞ୍ଜୟ ଦୌଡ଼ି ଯାଇ ଅମିତ ଶାହାଙ୍କ ଜୋତା ଉଠାଇ ଶାହାଙ୍କ ଆଗରେ ରଖିଥିଲେ। କିଛି ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ନେତାମାନେ ଏହି ଭିଡ଼ିଓ ସେୟାର କରି ତାଙ୍କୁ ‘ଗୁଲାମ(ଚାକର)’ ବୋଲି କହି ବାନ୍ଦି ସଞ୍ଜୟଙ୍କୁ ସମାଲୋଚନା କରିଛନ୍ତି।

ଲୋକସଭା ସାଂସଦ ବାନ୍ଦି ସଞ୍ଜୟ ତେଲେଙ୍ଗାନା ବିଜେପିର ନେତୃତ୍ୱ ନେଉଛନ୍ତି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ସେ ବାନ୍ଦି ସଞ୍ଜୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୋତା ହାତରେ ଧରି ଶାହାଙ୍କ ପାଖକୁ ଆସୁଛନ୍ତି ଏବଂ ତାଙ୍କ ପାଦ ପାଖରେ ରଖୁଛନ୍ତି । ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ଏବଂ କଂଗ୍ରେସ ଦଳର ନେତା ସଞ୍ଜୟଙ୍କୁ ଦିଲ୍ଲୀ ଏବଂ ଗୁଜୁରାଟର ନେତାଙ୍କ ଚାକର ବୋଲି କହିଛନ୍ତି ଏବଂ ତେଲେଙ୍ଗାନାର ଆତ୍ମ ସମ୍ମାନ ରକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି।

ଟିଆରଏସ ନେତାମାନେ ସଞ୍ଜୟଙ୍କୁ କଠୋର ଭାବେ ଟ୍ରୋଲ କରିଛନ୍ତି । ଅନେକ ସମୟରେ ମୁଖ୍ୟମନ୍ତ୍ରୀ ଏବଂ ଟିଆରଏସ ସଭାପତି କେ.ଚନ୍ଦ୍ରଶେଖର ରାଓ ତାଙ୍କୁ ଦାସ ବୋଲି ଅଭିହିତ କରିଛନ୍ତି। ରାଜ୍ୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ କେ.ଟି ରାମା ରାଓ କହିଛନ୍ତି ଯେ ଯେଉଁମାନେ ତେଲେଙ୍ଗାନାର ସ୍ବାଭିମାନକୁ ଅପମାନିତ କରନ୍ତି ଏବଂ ଆତ୍ମ ସମ୍ମାନକୁ ବିପଦରେ ପକାନ୍ତି, ସେମାନଙ୍କୁ ବାହାର କରିଦେବାକୁ ସମାଜର ଲୋକମାନେ ପ୍ରସ୍ତୁତ ଅଛନ୍ତି।