ଭାରତରେ ବ୍ଲୁ ଟିକ୍ ସବସ୍କ୍ରିପସନ୍ ଆରମ୍ଭ କଲା ଟ୍ବିଟର, ମାସକୁ ଦେବାକୁ ପଡ଼ିବ ୯୦୦ ଟଙ୍କା | News Room Odisha

ଭାରତରେ ବ୍ଲୁ ଟିକ୍ ସବସ୍କ୍ରିପସନ୍ ଆରମ୍ଭ କଲା ଟ୍ବିଟର, ମାସକୁ ଦେବାକୁ ପଡ଼ିବ ୯୦୦ ଟଙ୍କା

ନୂଆଦିଲ୍ଲୀ: ଭାରତରେ ଟ୍ବିଟର ଏହାର ବ୍ଲୁ ଟିକ୍ ସବସ୍କ୍ରିପସନ୍ ଆରମ୍ଭ କରିଛି । ଏଥିପାଇଁ ୟୁଜରଙ୍କୁ ମାସକୁ ୬୫୦ ଟଙ୍କା ଦେବାକୁ ପଡିବ । ୱେବ୍ ୟୁଜରଙ୍କ ପାଇଁ ଏହି ଦେୟ ୬୫୦ ଟଙ୍କା ରଖାଯାଇଥିବାବେଳେ ମୋବାଇଲ୍ ୟୁଜରଙ୍କ ପାଇଁ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଚାର୍ଜ ୯୦୦ ଟଙ୍କା ଧାର୍ଯ୍ୟ ହୋଇଛି ।

ଗତ କିଛି ଦିନ ମଧ୍ୟରେ ଟ୍ବିଟରର ଏହି ସେବା ଆମେରିକା, ବ୍ରିଟେନ, କାନାଡା ଏବଂ ଜାପାନ ସହ ଅନ୍ୟ କିଛି ଦେଶରେ ଆରମ୍ଭ ହୋଇଥିଲା। ଏହି ସବୁ ଦେଶରେ ୱେବ୍ ୟୁଜରଙ୍କ ପାଇଁ ମାସିକ ୭ ଡଲାର ଚାର୍ଜ ରଖାଯାଇଛି | ତେବେ ବାର୍ଷିକ ସବସ୍କ୍ରିପସନ୍ ପାଇଁ ୮୪ ଡ଼ଲାର ଦେବାକୁ ହେବ | ଟ୍ୱିଟର ଆଣ୍ଡ୍ରଏଡ ୟୁଜରଙ୍କ ଠାରୁ ୩ ଡଲାର ଅଧିକ ଚାର୍ଜ କରିବ ଏବଂ ଗୁଗୁଲକୁ କମିଶନ ଦେବ।

ଟ୍ୱିଟର ଏବେ ଭାରତରେ ମଧ୍ୟ ଏହି ସେବା ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ଟ୍ୱିଟର ବ୍ଲୁ ସେବା ପାଇବାକୁ ୱେବ୍ ୟୁଜରଙ୍କୁ ମାସକୁ ୬୫୦ ଟଙ୍କା ଏବଂ ମୋବାଇଲ୍ ୟୁଜରଙ୍କୁ ମାସିକ ୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଯେଉଁ ୟୁଜରମାନେ ବର୍ଷିକିଆ ସବସ୍କ୍ରିପସନ୍ ନେବେ ସେମାନଙ୍କୁ ୬୮୦୦ ଟଙ୍କା ଦେବାକୁ ପଡିବ |

କିଛି ମାସ ପୂର୍ବରୁ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିବା ପରେ କମ୍ପାନୀରେ ଅନେକ ପରିବର୍ତ୍ତନ ହୋଇଛି | ମସ୍କ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ଅନେକ ଉଚ୍ଚ ପଦାଧିକାରୀଙ୍କୁ ବିଦା କରିଥିଲେ। ମସ୍କ ପରେ ଟ୍ୱିଟର ବ୍ଲୁ ଟିକ୍ ସବସ୍କ୍ରିପସନ୍ ବିଷୟରେ ଘୋଷଣା କରିଥିଲେ |