ବଦଳିଲା ଟ୍ୱିଟର ଲୋଗୋ, 'X' ନେଲା ବ୍ଲୁ ବାର୍ଡର ସ୍ଥାନ | News Room Odisha

ବଦଳିଲା ଟ୍ୱିଟର ଲୋଗୋ, ‘X’ ନେଲା ବ୍ଲୁ ବାର୍ଡର ସ୍ଥାନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ହୋଇଛି ବଡ଼ ପରିବର୍ତ୍ତନ । ବ୍ଲୁ ବାର୍ଡ ବଦଳରେ ଇଂରାଜୀ ଅକ୍ଷର ‘X’ ଟ୍ବିଟରର ନୂଆ ଲୋଗୋ ହେବ ବୋଲି ମାଲିକ ଏଲନ୍ ମସ୍କ ରବିବାର ଘୋଷଣା କରିଥିଲେ । ଆଜି ସେ ଏହି ନୂଆ ଲୋଗୋକୁ ଉନ୍ମୋଚିତ କରିଛନ୍ତି । ଟ୍ୱିଟରର ନୂଆ ଲୋଗୋ ‘X’ ଲାଇଭ୍ ହୋଇଯାଇଛି |

ଏହାଛଡ଼ା ୱେବରେ ଟ୍ୱିଟରର ନୂଆ ଠିକଣା ବର୍ତ୍ତମାନ X.com ହେବ | ଏବେ X.com ଓପନ କଲେ ଟ୍ୱିଟର ୱେବସାଇଟ୍ ଖୋଲୁଛି | ଏହା ସହ ଟ୍ୱିଟରର ଅଫିସିଆଲ୍ ଆକାଉଣ୍ଟର ଲୋଗୋ ମଧ୍ୟ ପରିବର୍ତ୍ତନ କରାଯାଇଛି | ବର୍ତ୍ତମାନ X ଲୋଗୋ ଦେଖିବାକୁ ମିଳୁଛି ।

ମସ୍କଙ୍କ ଘୋଷଣା ପରେ ସୋମବାର ଟ୍ୱିଟରରେ ପରିବର୍ତ୍ତନ ଆରମ୍ଭ ହୋଇଛି। ଟ୍ୱିଟରରେ ହୋମ ବଟନ୍ ଲୋଗୋ କଳା ରଙ୍ଗର ହୋଇଥିବା ବେଳେ ‘ଫଲୋ’ ବଟନ୍ ମଧ୍ୟ କଳା ହୋଇଯାଇଛି। ଏହି ସୋସିଆଲ ମିଡ଼ିଆ ଆପର ପୂରା ଇଣ୍ଟରଫେସ୍ ବର୍ତ୍ତମାନ ନୀଳରୁ କଳା ହୋଇଛି |

ମସ୍କ ମଧ୍ୟ ତାଙ୍କର ପ୍ରୋଫାଇଲ୍ ଅପଡେଟ୍ କରିଛନ୍ତି | ସେ ତାଙ୍କ ପ୍ରୋଫାଇଲରେ X ଲୋଗୋ ରଖିଛନ୍ତି | ଟ୍ୱିଟର ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ତାଙ୍କ ପ୍ରୋଫାଇଲ୍ ଫଟୋ ଅପଡେଟ୍ କରିଛନ୍ତି। ବର୍ତ୍ତମାନ ନୀଳ ପକ୍ଷୀ ଲୋଗୋ ପରିବର୍ତ୍ତେ ମସ୍କ ଏବଂ ଲିଣ୍ଡାଙ୍କ ପ୍ରୋଫାଇଲ୍ ନାମ ସାମ୍ନାରେ X ଲୋଗୋ ଦେଖିବାକୁ ମିଳୁଛି । ଟ୍ବିଟର ମୁଖ୍ୟାଳୟରେ ବି ‘X’ ଲୋଗୋ ପ୍ରୋଜେକ୍ଟ କରାଯାଇଛି | ମସ୍କ ଏହାର ଏକ ଫଟୋ ଟୁଇଟ୍ କରିଛନ୍ତି ।

ଏଲୋନ୍ ମସ୍କ ଟ୍ୱିଟରକୁ କିଣିବା ପରଠୁ ଏଥିରେ ଲଗାତାର ବିଭିନ୍ନ ପରିବର୍ତ୍ତନ କରୁଛନ୍ତି | ଏହି କ୍ରମରେ ସେ ଏବେ ଟ୍ୱିଟରର ଡୋମେନ୍ ମଧ୍ୟ ବଦଳାଇ ଦେଇଛନ୍ତି । ଏହା ଏବେ x.com ହୋଇଛି।

ଟ୍ୱିଟରର ନୂଆ ଲୋଗୋ ‘X’ ୱେବସାଇଟ୍ ସହ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଆପରେ ଲାଇଭ୍ ହୋଇଛି | ଟ୍ୱିଟର ସିଇଓ ଲିଣ୍ଡା ୟାକାରିନୋ ଏକ ଟୁଇଟରେ କହିଛନ୍ତି ଯେ ୱେବସାଇଟ୍ ସହିତ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ଆପ୍ ମଧ୍ୟ ରିଡିଜାଇନ୍ କରାଯାଉଛି।