ଅଫିସ୍ ଭଡ଼ା ଦେଇ ନ ଥିବାରୁ ଟ୍ୱିଟର ବିରୋଧରେ ମାମଲା | News Room Odisha

ଅଫିସ୍ ଭଡ଼ା ଦେଇ ନ ଥିବାରୁ ଟ୍ୱିଟର ବିରୋଧରେ ମାମଲା

ସାନ୍ ଫ୍ରାନ୍ସିସ୍କୋ: ସାନ୍ ଫ୍ରାନ୍ସିସ୍କୋରେ ଥିବା କାର୍ଯ୍ୟାଳୟ ପାଇଁ ଭଡ଼ା ଦେଇ ନ ଥିବାରୁ ଟ୍ୱିଟର ବିରୋଧରେ ମାମଲା ରୁଜୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜମି ମାଲିକ କଲମ୍ବିଆ ରିଟ୍ ଏହି ସୋସିଆଲ ମିଡ଼ିଆ କମ୍ପାନୀ ବିରୋଧରେ କୋର୍ଟ ଯାଇଛନ୍ତି । ରିଟ୍ କହିଛନ୍ତି ଯେ ସେ ଡିସେମ୍ବର ୧୬ରେ ଟ୍ୱିଟରକୁ ଏକ ନୋଟିସ୍ ଜାରି କରିଥିଲେ । ପାଞ୍ଚ ଦିନ ମଧ୍ୟରେ ଯଦି ବକେୟା ଭଡ଼ା ପଇଠ ନ କରାଯାଏ, ତେବେ ଏହାକୁ ଡିଫଲ୍ଟ ଭାବେ ଧରାଯିବ ବୋଲି ନୋଟିସରେ କୁହାଯାଇଥିଲା । ସାନ୍ ଫ୍ରାନ୍ସିସ୍କୋରେ ହାର୍ଟଫୋଟ୍ ବିଲ୍ଡିଂର ଥିବା ଅଫିସ୍ ଭଡ଼ା ବାବଦକୁ ଟ୍ବିଟର ଉପରେ ପ୍ରାୟ ୧୩୬, ୨୫୦ ଡଲାର ବାକି ରହିଛି ।

ତାଙ୍କ ଅଭିଯୋଗରେ କଲମ୍ବିଆ ରିଟ୍ କହିଛନ୍ତି ଯେ ଭଡାଟିଆ ପାଞ୍ଚ ଦିନିଆ ନୋଟିସର ପାଳନ କରିବାରେ ବିଫଳ ହୋଇଥିଲେ । ତେଣୁ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ରାଜ୍ୟ ଅଦାଲତରେ ଏହି ସୋସିଆଲ ମିଡ଼ିଆ କମ୍ପାନୀ ବିରୋଧରେ ମାମଲା ଦାୟର କରାଯାଇଛି ।

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଟ୍ୱିଟର ଏହାର ମୁଖ୍ୟାଳୟ ସହ ଅନ୍ୟ କିଛି ଦେଶରେ ଥିବା କାର୍ଯ୍ୟାଳୟର ଭଡ଼ା ଦେଇ ନାହିଁ । ଏହାଛଡ଼ା ଦୁଇଟି ଚାର୍ଟର ବିମାନ ପାଇଁ ଭଡ଼ା ଦେବାକୁ ମଧ୍ୟ ମନା କରିବାରୁ ଚଳିତ ମାସ ଆରମ୍ଭରେ କମ୍ପାନୀ ବିରୋଧରେ ଏକ କେସ୍ ରୁଜୁ ହୋଇଥିଲା ।

ବକେୟା ଭଡ଼ା ମାମଲାରେ ଟ୍ବିଟର ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅବଶ୍ୟ ଟ୍ୱିଟରର ମିଡ଼ିଆ ବିଭାଗ ନାହିଁ।