ଡିଲ୍ ବାତିଲ ନେଇ ଏଲନ୍ ମସ୍କଙ୍କୁ କୋର୍ଟ ଟାଣିଲା ଟ୍ବିଟର | News Room Odisha

ଡିଲ୍ ବାତିଲ ନେଇ ଏଲନ୍ ମସ୍କଙ୍କୁ କୋର୍ଟ ଟାଣିଲା ଟ୍ବିଟର

ଓ୍ୱାଶିଂଟନ: ୪୪ ବିଲିୟନ ଡଲାର ଡିଲ୍ ବାତିଲ ନିଷ୍ପତ୍ତି ବିରୋଧରେ ସୋସିଆଲ ମିଡ଼ିଆ କମ୍ପାନୀ ଟ୍ବିଟର ଟେସଲା ମୁଖ୍ୟ ଏଲନ୍ ମସ୍କଙ୍କୁ କୋର୍ଟ ଟାଣିଛି ।

ମସ୍କଙ୍କ ବିରୋଧରେ ଟ୍ବିଟର ଆମେରିକାର ଡେଲାୱେର କୋର୍ଟରେ ମାମଲା ଦାୟର କରିଛି । ଟ୍ବିଟର ନିଜ ପିଟିସନରେ କହିଛି ଯେ ଏଲନ ମସ୍କ ସେୟାର ପିଛା $ ୫୪.୨୦ ରେ ଯେଉଁ ଡିଲ୍ କରିଥିଲେ ତାହାକୁ ପୂରା କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଉ ।

ଗତ ଶୁକ୍ରବାର ସେ ଟ୍ୱିଟର କିଣୁ ନାହାଁନ୍ତି ବୋଲି ଏଲନ୍ ମସ୍କ ଘୋଷଣା କରିବା ପରେ ତାଙ୍କ ବିରୋଧରେ ଟ୍ୱିଟର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି। ମସ୍କ ଅଭିଯୋଗ କରିଥିଲେ ଯେ ଚୁକ୍ତି ସହ ଜଡିତ ସର୍ତ୍ତାବଳୀର ଅନେକ ଥର ଉଲ୍ଲଂଘନ ହୋଇଛି । ତେଣୁ ସେ ଏହି ଡିଲ୍ ରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ବାରମ୍ବାର ଅନୁରୋଧ ସତ୍ତ୍ୱେ ନକଲି ଆକାଉଣ୍ଟ ବିଷୟରେ ଟ୍ୱିଟର ସୂଚନା ଦେଇନଥିଲା ।

ଟ୍ବିଟର କିଣିବା ପାଇଁ ଏଲନ୍ ମସ୍କ ଏପ୍ରିଲରେ ଏହି ମାଇକ୍ରୋ ବ୍ଲଗିଂ କମ୍ପାନୀ ସହ ୪୪ ବିଲିୟନ ଡଲାରର ଏକ ଚୁକ୍ତି କରିଥିଲେ । କିନ୍ତୁ ମେ ମାସରେ ସେ କହିଥିଲେ ଯେ ନକଲି ତଥା ସ୍ପାମ୍ ଆକାଉଣ୍ଟ ସଂଖ୍ୟା ଉପରେ ଟ୍ୱିଟର ତଥ୍ୟକୁ ସେ ଅପେକ୍ଷା କରିଥିବାରୁ ଏହି ଡିଲକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।