ମଣିପୁର: ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ଆକ୍ରମଣ, ଦୁଇ ସିଆରପିଏଫ୍ ଯବାନ ସହିଦ୍ | News Room Odisha

ମଣିପୁର: ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ଆକ୍ରମଣ, ଦୁଇ ସିଆରପିଏଫ୍ ଯବାନ ସହିଦ୍

ଇମ୍ଫାଲ: ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ଉଗ୍ରବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ଦୁଇଜଣ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ କହିଛି, କୁକି ଉଗ୍ରବାଦୀମାନେ ମୋଇରଙ୍ଗ ଥାନା ଅନ୍ତର୍ଗତ ନାରାନସେନା ଠାରେ ଥିବା ଆଇଆରବିଏନ୍ (ଇଣ୍ଡିଆନ୍ ରିଜର୍ଭ କର୍ପସ) କ୍ୟାମ୍ପ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଅତର୍କିତ ଆକ୍ରମଣ କରିଥିଲେ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଉଗ୍ରବାଦୀମାନେ କ୍ୟାମ୍ପକୁ ଟାର୍ଗେଟ କରି ପାହାଡ ଉପରୁ ଗୁଳି ଚଳାଇଥିଲେ। ଗୁଳିମାଡ଼ ରାତି ପ୍ରାୟ ୧୨.୩୦ ରୁ ଆରମ୍ଭ ହୋଇ ପ୍ରାୟ ୨.୧୫ ପର୍ଯ୍ୟନ୍ତ ଜାରି ରହିଥିଲା। ଆତଙ୍କବାଦୀମାନେ ମଧ୍ୟ ବୋମା ଫିଙ୍ଗିଥିଲେ, ସେଥିମଧ୍ୟରୁ ଗୋଟିଏ ସିଆରପିଏଫ୍ ର ୧୨୮ ବାଟାଲିୟନ ପୋଷ୍ଟରେ ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ସିଆରପିଏଫ୍ ସବ-ଇନ୍ସପେକ୍ଟର ଏନ୍ ସର୍କାର ଓ ହେଡ୍ କନେଷ୍ଟବଳ ଅରୁପ ସାଇନି ସହିଦ୍ ହୋଇଛନ୍ତି।

ସେ କହିଛନ୍ତି ଯେ, ଏହି ଆକ୍ରମଣରେ ଇନ୍ସପେକ୍ଟର ଯାଦବ ଦାସ ଏବଂ କନଷ୍ଟେବଳ ଆଫାବ ଦାସ ଆହତ ହୋଇଛନ୍ତି।
ଆଇଆରବିଏନ୍ କ୍ୟାମ୍ପର ସୁରକ୍ଷା ପାଇଁ ସିଆରପିଏଫ୍ ଯବାନଙ୍କୁ ଏଠାରେ ମୁତୟନ କରାଯାଇଥିଲା। ଏହି ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କୁ ଧରିବା ପାଇଁ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ପୋଲିସ କହିଛି।