ଗୁଜରାଟରେ ମାଡ଼ ହେଲା ‘ବିପର୍ଯ୍ୟୟ’, ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି, ୨ ମୃତ | News Room Odisha

ଗୁଜରାଟରେ ମାଡ଼ ହେଲା ‘ବିପର୍ଯ୍ୟୟ’, ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି, ୨ ମୃତ

ଅହମ୍ମଦାବାଦ: ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଗୁଜରାଟର ଜଖୌ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିଥିଲା । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିଲା। ଝଟକା ପବନ ଘଣ୍ଟା ପ୍ରତି ୧୪୦ କିଲୋମିଟର ରହିଥିଲା। ବାତ୍ୟାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅତିକମରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଲ୍ୟାଣ୍ଡଫଲ କରିବା ପରେ ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ରାଜସ୍ଥାନ ମୁହାଁଇଛି ।

ବାତ୍ୟାର ଆଖିର ବ୍ୟାସ ଥିଲା ୫୦ କିଲୋମିଟର। ବାତ୍ୟା ପ୍ରଭାବରେ କଚ୍ଛ, ଜଖୌ ଓ ଦ୍ବାରିକାରେ ପ୍ରବଳ କ୍ଷୟକ୍ଷତି ହୋଇଛି। କଚ୍ଛରେ ଏବେ ବି ୭୦ରୁ ୮୦ କିମି ବେଗରେ ପବନ ବହୁଛି।

ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ସବୁ ଉପୁଡ଼ି ପଡ଼ିଛି। ଫଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ସନ୍ଧ୍ୟା ୬ଟାରୁ ଆରମ୍ଭ ହେଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା।

ମଧ୍ୟରାତ୍ରୀ ପରେ ଧୀରେ ଧୀରେ କମିଥିଲା ପବନର ବେଗ। ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ସମୁଦ୍ରରେ ଉଠିଥିଲା ଉଚ୍ଚ ଉଚ୍ଚ ଜୁଆର। ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ସୂଚନା ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ। ୧୮ଟି ଏନଡିଆରଏଫ ଏବଂ ୧୨ଟି ଏସଡିଆରଏଫ ଟିମ୍ ରେସକ୍ୟୁ ଅପରେସନରେ ମୁତୟନ ହୋଇଛନ୍ତି। ଜରୁରୀ ସ୍ଥିତିରେ ମୁତୟନ ପାଇଁ ଅଧିକ ୧୨ ୟୁନିଟ୍ ଫୋର୍ସ ଷ୍ଟଣ୍ଡବାଏରେ ରଖାଯାଇଛି। କଚ୍ଛ ଉପରେ ଅଛି ପୂରା ଫୋକସ। କଚ୍ଛ ଜିଲ୍ଲାରେ ଖୁବଜୋରରେ ପବନ ବହିବା ସହ ବର୍ଷା ଦେଖିବାକୁ ମିଳିଛି। ପବନ ଥମିଥିଲେ ମଧ୍ୟ ବର୍ଷା ଥମିନି। କଚ୍ଛ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ୨୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଗାନ୍ଧିନଗରରେ ୨୨ଜଣ ଆହତ ହୋଇଛନ୍ତି। ୫୨୪ଟି ଗଛ ଉପୁଡ଼ି ପଡ଼ିଥିବା ବେଳେ ବହୁ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି ।