ଆଇପିଏଲ୍ ୨୦୨୨: ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ପୁଣି ଦୁଇ କରୋନା ମାମଲା | News Room Odisha

ଆଇପିଏଲ୍ ୨୦୨୨: ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ପୁଣି ଦୁଇ କରୋନା ମାମଲା

ମୁମ୍ବାଇ: ଆଇପିଏଲର ୧୫ ତମ ସିଜନରେ ପୁଣି ଦୁଇ କରୋନା ମାମଲା ସାମ୍ନାକୁ ଆସିଛି । ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ ପାଟ୍ରିକ୍ ଫାରହାର୍ଟ କରୋନା ସଂକ୍ରମିତ ହୋଇଥିଲେ। ଇଏସପିଏନ୍ କ୍ରିକଇନଫୋ ରିପୋର୍ଟ ଅନୁଯାୟୀ, ଏବେ ପୁଣି ଦଳର ଜଣେ ବିଦେଶୀ ଖେଳାଳିଙ୍କ ସହ ଜଣେ ସପୋର୍ଟ ଷ୍ଟାଫ୍ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏଥିସହ ଦଳରେ ମୋଟ ମାମଲା ତିନିକୁ ବୃଦ୍ଧି ପାଇଛି । ସଂକ୍ରମିତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ନାମ ପ୍ରକାଶ କରାଯାଇ ନାହିଁ। ବିଦେଶୀ ଖେଳାଳି ଜଣଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ତାଙ୍କର ଆରଟି-ପିସିଆର ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପରବର୍ତ୍ତୀ ମ୍ୟାଚ୍ ଏପ୍ରିଲ ୨୦ରେ ପୁଣେରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିବାର ଅଛି | ଏଥିପାଇଁ ଦଳ ଆଜି ମୁମ୍ବାଇରୁ ପୁଣେ ଯାଇଥାନ୍ତା । କିନ୍ତୁ ଦଳରେ ଦୁଇ କରୋନା ମାମଲା ଚିହ୍ନଟ ହେବା ପରେ ଦଳର ପୁଣେ ଯାତ୍ରା ସ୍ଥଗିତ ରଖାଯାଇଛି। ପୁରା ଟିମ୍ ହୋଟେଲରେ କ୍ବାରେଣ୍ଟାଇନରେ ରହିଛି | ଏବେ ସମସ୍ତ ଖେଳାଳିଙ୍କ ଦୁଇ ଦିନ କରୋନା ଟେଷ୍ଟ ହେବ । ଦିଲ୍ଲୀର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ସ୍ଥଗିତ ରଖାଯିବ ନା ନାହିଁ ସେନେଇ ଆଇପିଏଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ ।