ଜାମ୍ମୁ-କାଶ୍ମୀର: ଏଲ୍ଓସି ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଦୁଇ ଯବାନ ସହିଦ୍ | News Room Odisha

ଜାମ୍ମୁ-କାଶ୍ମୀର: ଏଲ୍ଓସି ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଦୁଇ ଯବାନ ସହିଦ୍

ଶ୍ରୀନଗର: ଜାମ୍ମୁ କାଶ୍ମୀରର ନୌଶେରା-ସୁନ୍ଦରବନୀ ସେକ୍ଟରରେ ଶନିବାର ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଜଣ ଯବାନଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏଲ୍ଓସି ନିକଟରେ ସେନାର ପାଟ୍ରୋଲିଂ ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଥିଲା । ଏଥିରେ ଜଣେ ଅଧିକାରୀ ଏବଂ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିଲା । ସୂଚନା ପାଇବା ମାତ୍ରେ ଅନ୍ୟ ସୈନିକମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ତିନିଜଣ ଆହତ ହୋଇଛନ୍ତି।

ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ ଦୁଇ ସହିଦ୍ ଯବାନ ହେଲେ ଲେଫ୍ଟନାଣ୍ଟ ଋଷି କୁମାର ଓ ସିପାହୀ ମଞ୍ଜିତ ବାହାଦୂର । ଲେଫ୍ଟନାଣ୍ଟ ଋଷି କୁମାର ବିହାରର ବେଗୁସାରାଇର ବାସିନ୍ଦା ହୋଇଥିବାବେଳେ ମଞ୍ଜିତ ସିଂ ସିର୍ଭୱାଲା ପଞ୍ଜାବର ଭଟିଣ୍ଡା ନିବାସୀ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଅଧିକାରୀଙ୍କ ସମେତ ସେନାର ନଅଜଣ ସୈନିକ ସହିଦ ହୋଇଥିଲେ। ପୁଞ୍ଚର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସହ ଗତ ତିନି ସପ୍ତାହ ଧରି ନୌଶେରା ସେକ୍ଟରରେ ସେନା ଅପରେସନ ଚାଲିଛି। ଜାମ୍ମୁର ପିର ପଞ୍ଜଲ ଅଞ୍ଚଳର ଏକ ଅଂଶ ଥିବା ରଯୌରି ଜିଲ୍ଲା ଅଧୀନରେ ନୋଶେରା ସେକ୍ଟର ରହିଛି। ଗତ ୧୮ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଏହା ହେଉଛି ସବୁଠାରୁ ଲମ୍ବା ଆତଙ୍କବାଦ ନିରୋଧି ଅପରେସନ ।