ଜମ୍ମୁ-କାଶ୍ମୀର: କୁଲଗାମରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ | News Room Odisha

ଜମ୍ମୁ-କାଶ୍ମୀର: କୁଲଗାମରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ହାସାନପୋରା ଗ୍ରାମରେ ରବିବାର ସନ୍ଧ୍ୟା ଠାରୁ ପ୍ରାୟ ଆଠ ଘଣ୍ଟା ଧରି ଚାଲିଥିବା ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ରବିବାର ମଧ୍ୟରାତ୍ରି ପରେ ଏହି ଦୁଇ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ୍ କରି ଘେରି ରହିଛନ୍ତି।

ସୂଚନାଯୋଗ୍ୟ ଯେ ରବିବାର କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ମୁକାବିଲା ୨୦୨୨ ବର୍ଷର ଅଷ୍ଟମ ଏନକାଉଣ୍ଟର ଏବଂ ଏହି ଏନକାଉଣ୍ଟରରେ ପ୍ରାୟ ୧୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜୈଶ ବା ଲଶ୍କର ଅବା ଏହି ଦୁଇ ଆତଙ୍କବାଦୀ ସଂଗଠନ ସହ ଜଡିତ ଅନ୍ୟ ସ୍ଥାନୀୟ ଆତଙ୍କବାଦୀ ସଂଗଠନ ବୋଲି ମନେ କରାଯାଉଛି ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ ରବିବାର ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାର ହାସନପୋରା ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀ ଗୁଇନ୍ଦା ସୂଚନା ପାଇଥିଲେ। ଏହା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ସନ୍ଧ୍ୟାରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ତଲାସୀ ଅପରେସନ ବେଳେ ଏହି ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ।