ଶ୍ରୀନଗରରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ | News Room Odisha

ଶ୍ରୀନଗରରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶ୍ରୀନଗର ସହରର ଜାକୁରା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ସହ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀ ଲସ୍କର ଓ ଟିଆରଏଫ୍ ସହିତ ଜଡିତ ଥିଲେ | କାଶ୍ମୀର ଆଇଜିପିଙ୍କ ଅନୁଯାୟୀ ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଇଖଲାକ ହାଜାମ ବୋଲି ଜଣାପଡିଛି। ନିକଟରେ ହାସନପୋରା ଅନନ୍ତନାଗରେ ଏଚସି ଅଲି ମହମ୍ମଦଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିଲା। ସେମାନଙ୍କ ନିକଟରୁ ୨ଟି ପିସ୍ତଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି |

ଏହାପୂର୍ବରୁ ବୁଧବାର ଶୋପିଆନ୍ ଜିଲ୍ଲାର ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ପୋଲିସ ମୁଖପାତ୍ର କହିଛନ୍ତି ଯେ ସୁରକ୍ଷା ବାହିନୀ ଜିଲ୍ଲାର ନାଉପୋରା ଅଞ୍ଚଳର ନଦୀଗାମ ଗ୍ରାମକୁ କର୍ଡନ କରି ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ |

ଗତ ଶନିବାର ଦିନ ଦୁଇଟି ପୃଥକ ଏନକାଉଣ୍ଟରରେ ପାଞ୍ଚ ଜଣ ଲଶ୍କର-ଏ-ତାଇବା ଏବଂ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିଲେ। ଶନିବାର ରାତିରେ କାଶ୍ମୀର ଉପତ୍ୟକାର ପୁଲୱାମା ଏବଂ ବଡଗାମ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଥିଲା | ଦକ୍ଷିଣ କାଶ୍ମୀରର ପୁଲୱାମାର ନାଇରା ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ କେନ୍ଦ୍ରୀୟ କାଶ୍ମୀରର ବଡଗାମ ଜିଲ୍ଲାର ଚରାର-ଇ-ସରିଫ ଅଞ୍ଚଳରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ପୋଲିସ ଅଧିକାରୀ କହିଛନ୍ତି।