ଏକନାଥ ସିନ୍ଦେଙ୍କୁ ସରକାର ଗଠନ ଆମନ୍ତ୍ରଣ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲା ଉଦ୍ଧବ ଗୋଷ୍ଠୀ | News Room Odisha

ଏକନାଥ ସିନ୍ଦେଙ୍କୁ ସରକାର ଗଠନ ଆମନ୍ତ୍ରଣ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲା ଉଦ୍ଧବ ଗୋଷ୍ଠୀ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏକନାଥ ସିନ୍ଦେଙ୍କୁ ଆମନ୍ତ୍ରଣ କରିବା ନିଷ୍ପତ୍ତିକୁ ଉଦ୍ଧବ ଠାକର ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆସନ୍ତା ସୋମବାର ଜୁଲାଇ ୧୧ ରେ ଏହି ମାମଲାର ଶୁଣାଣି ହେବ। ଜୁନ୍ ୩୦ ରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି ଏକନାଥ ସିନ୍ଦେଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ।

ଏକନାଥ ସିନ୍ଦେ ବିଜେପି ସହାୟତାରେ ରାଜ୍ୟରେ ସରକାର ଗଢ଼ିଛନ୍ତି। ଏହା ପର ମହାରାଷ୍ଟ୍ର ବିଧାନସଭାରେ ନୂଆ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଜେପିର ରାହୁଲ ନର୍ଭେକର ଜିତିଥିଲେ। ତା’ପରେ ଏକନାଥ ସିନ୍ଦେ ସରକାର ମଧ୍ୟ ସଫଳତାର ସହ ବହୁମତ ସାବ୍ୟସ୍ତ କରିଥିଲା ।

ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଓକିଲ ଦେବଦତ୍ତ କାମାତ୍ ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଅବକାଶ କାଳୀନ ବେଞ୍ଚରେ ଆବେଦନ କରିଛନ୍ତି। ମହାରାଷ୍ଟ୍ରରେ ଅନେକ ଦିନ ଧରି ଚାଲିଥିବା ରାଜନୈତିକ ସଙ୍କଟ ପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅଧିକାଂଶ ଶିବସେନା ବିଧାୟକ ବିଦ୍ରୋହ କରି ଆସାମକୁ ଯାଇଥିଲେ। ଯେତେବେଳେ ରାଜ୍ୟପାଳ ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ କରିବାକୁ କହିଥିଲେ, ସେତେବେଳେ ତାଙ୍କ ଗୋଷ୍ଠୀ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା।

ସୁପ୍ରିମକୋର୍ଟଙ୍କଠାରୁ ଆଶ୍ବସ୍ତି ନ ମିଳିବା ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସୁପ୍ରିମକୋର୍ଟରେ ମଧ୍ୟ ଏକନାଥ ସିନ୍ଦେ ଟିମ୍ କିଛି ବିଧାୟକଙ୍କୁ ଅଯୋଗ୍ୟତା ପାଇଁ ନୋଟିସ୍ ପଠାଇବା ମାମଲା ବିଚାରାଧୀନ ରହିଛି । ଏହାର ଶୁଣାଣି ମଧ୍ୟ ଜୁଲାଇ ୧୧ରେ ହେବ।