ଫେସବୁକ୍ ଲାଇଭ୍ ବେଳେ ଉଦ୍ଧବ ଠାକରେ ଗୋଷ୍ଠୀର ନେତାଙ୍କୁ ଗୁଳିକରି ହତ୍ୟା | News Room Odisha

ଫେସବୁକ୍ ଲାଇଭ୍ ବେଳେ ଉଦ୍ଧବ ଠାକରେ ଗୋଷ୍ଠୀର ନେତାଙ୍କୁ ଗୁଳିକରି ହତ୍ୟା

ମୁମ୍ବାଇ: ଫେସବୁକ୍ ଲାଇଭ୍ ବେଳେ ଶିବସେନା (ଉଦ୍ଧବ) ନେତା ଅଭିଷେକ ଘୋଷାଲକରଙ୍କୁ ହତ୍ୟା । ମୁମ୍ବାଇର ସାମାଜିକ କର୍ମୀ ମୌରିସ ନୋରୋନା ଫେସବୁକ୍ ଲାଇଭ୍ ବେଳେ ଘୋଷାଲକରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ପରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତିରେ ଏହି ଘଟଣା ଘଟିଛି।

ଗୁଳିମାଡ଼ ପରେ ଉଦ୍ଧବ ଗୋଷ୍ଠୀର ନେତା ତଥା ପୂର୍ବତନ କାଉନସିଲର ଘୋଷାଲକରଙ୍କୁ ଗୁରୁତର ଅବସ୍ଥାରେ ଉତ୍ତର ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି।

ଏହି ଘଟଣାର ଫେସବୁକ୍ ଲାଇଭ୍ ଭିଡିଓ ସୋସିଆଲ ମିଡିଆରେ ହୋଇଛି । ଏଥିରେ ଅଭିଷେକଙ୍କ ପେଟ ଓ କାନ୍ଧରେ ଗୁଳିମାଡ଼ ହେଉଥିବା ଦେଖିବାକୁ ମିଳୁଛି। ଜଣେ ଅଧିକାରୀ କହିଛନ୍ତି, ଘୋଷାଲକର ଓ ନୋରୋନାଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା। ପାରସ୍ପରିକ ବିବାଦ ଶେଷ କରି ବୋରିଭଲିରେ ଆଇସି କଲୋନୀ ଅଞ୍ଚଳର ଉନ୍ନତି ପାଇଁ ସେମାନେ ଏକାଠି ହୋଇଛନ୍ତି ବୋଲି ସନ୍ଦେଶ ଦେବାକୁ ଉଭୟ ଫେସବୁକ୍ ଲାଇଭ୍ କରିଥିଲେ । ଅଭିଷେକ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଦଳର ଜଣେ ବରିଷ୍ଠ ନେତା ବିନୋଦ ଘୋଷାଲକରଙ୍କ ପୁତ୍ର ଥିଲେ।

ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅନ୍ୟପକ୍ଷରେ ଶିବସେନା (ଉଦ୍ଧବ) ସାଂସଦ ସଞ୍ଜୟ ରାଉତ ଏକ ପୋଷ୍ଟରେ ‘ଏକ୍ସ’ରେ ଏକ ପୋଷ୍ଟରେ ଅଭିଯୋଗ କରିଛନ୍ତି ଯେ ଚାରି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ସିନ୍ଦେ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ନୋରୋନାଙ୍କୁ ଭେଟିଥିଲେ ଏବଂ ତାଙ୍କୁ ତାଙ୍କ (ସିନ୍ଦେ) ନେତୃତ୍ୱାଧୀନ ଶିବସେନାରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ରାଉତ ଦାବି କରିଛନ୍ତି।