ୟୁଜିସିର ବଡ଼ ଘୋଷଣା, ଏଣିକି ଏକକାଳୀନ ଦୁଇଟି ଡିଗ୍ରୀ ହାସଲ କରିପାରିବେ ଛାତ୍ରଛାତ୍ରୀ | News Room Odisha

ୟୁଜିସିର ବଡ଼ ଘୋଷଣା, ଏଣିକି ଏକକାଳୀନ ଦୁଇଟି ଡିଗ୍ରୀ ହାସଲ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ଛାତ୍ରମାନଙ୍କୁ ଫିଜିକାଲ୍ ମୋଡରେ ଏକକାଳୀନ ଦୁଇଟି ଫୁଲ୍ ଟାଇମ୍ ଡିଗ୍ରୀ ପ୍ରୋଗ୍ରାମ କରିବାକୁ ଅନୁମତି ଦେବ ୟୁଜିସି | ୟୁଜିସି ଅଧ୍ୟକ୍ଷ ଏମ ଜଗଦୀଶ କୁମାର ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଛାତ୍ରମାନେ ବର୍ତ୍ତମାନ ସମାନ ବିଶ୍ୱବିଦ୍ୟାଳୟରେ କିମ୍ବା ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଏକକାଳୀନ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରୀ ପ୍ରୋଗ୍ରାମ କରିପାରିବେ। ୟୁଜିସି ଖୁବ୍ ଶୀଘ୍ର ଏ ବାବଦରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିବ। ଉପସ୍ଥାନ ବାଧ୍ୟତାମୂଳକ ହେବ କି ନାହିଁ ତାହା ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେବ |

ଚଳିତ ବର୍ଷ ଫେବୃଆରୀରେ ଏମ ଜଗଦୀଶ କୁମାର ୟୁଜିସିର ନୂଆ ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଥିଲେ। ସେ ଚେୟାରମ୍ୟାନ ପଦ ଗ୍ରହଣ କରିବା ଦିନଠାରୁ କ୍ରମାଗତ ଭାବରେ ନୂଆ ଘୋଷଣା କରିଆସୁଛନ୍ତି। ଏହାପୂର୍ବରୁ ଜଗଦୀଶ କୁମାର କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ଘୋଷଣା କରିଥିଲେ | ଏହି ପରୀକ୍ଷା ମାଧ୍ୟମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ନାତକ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ସମାନ ପ୍ରବେଶିକା ପରୀକ୍ଷା ପ୍ରାପ୍ତ ମାର୍କ ବିଚାରକୁ ନିଆଯିବ | ସିୟୁଇଟି ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି |