'ଭଲ ବନ୍ଧୁ ଭାବେ ରୁଷ ଆପଣଙ୍କ କଥା ଶୁଣିବ', ହସ୍ତକ୍ଷେପ ପାଇଁ ଭାରତକୁ ପୁଣି ୟୁକ୍ରେନର ଅପିଲ | News Room Odisha

‘ଭଲ ବନ୍ଧୁ ଭାବେ ରୁଷ ଆପଣଙ୍କ କଥା ଶୁଣିବ’, ହସ୍ତକ୍ଷେପ ପାଇଁ ଭାରତକୁ ପୁଣି ୟୁକ୍ରେନର ଅପିଲ

କିଭ୍: ୟୁକ୍ରେନ ଉପରେ ରୁଷର ଆକ୍ରମଣର ଆଜି ହେଉଛି ୧୧ତମ ଦିନ । ରୁଷ ଉପରେ ବିଭିନ୍ନ ଦେଶ କଡ଼ା କଟକଣା ଲଗାଇ ଯୁଦ୍ଧରୁ ବିରତ ହେବା ପାଇଁ ଚାପ ପକାଇଛନ୍ତି । ସେପଟେ ରୁଷ ଉପରେ ପୁଣି ଏକ ନୂଆ ରାଉଣ୍ଡ କଟକଣା ଲଗାଇବାକୁ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଛନ୍ତି। ଏକ ଟେଲିଭିଜନ ସମ୍ବୋଧନ ବେଳେ କୁଲେବା ରୁଷକୁ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ଯୁଦ୍ଧବିରତି ଅଞ୍ଚଳରୁ ବିଦେଶୀ ଛାତ୍ର ଓ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଏହା ମଧ୍ୟ ବନ୍ଦ କରିବା ପାଇଁ ଅନୁରୋଧ କରିଛି।

ସେ କହିଛନ୍ତି, “୩୦ ବର୍ଷ ଧରି ଆଫ୍ରିକା ଏବଂ ଏସିଆର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ୟୁକ୍ରେନ ଏକ ସ୍ୱାଗତଯୋଗ୍ୟ ଘର ଥିଲା। ୟୁକ୍ରେନ ବିଦେଶୀ ଛାତ୍ରମାନଙ୍କ ଯିବା ପାଇଁ ଟ୍ରେନ ବ୍ୟବସ୍ଥା କରିଛି। ହଟଲାଇନ ପ୍ରତିଷ୍ଠା କରାଯାଇଛି। ଦୂତାବାସ ସହିତ କାମ କରୁଛି ୟୁକ୍ରେନ ସରକାର ସେମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।”

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦାବି କରିଛନ୍ତି ଯେ ନାଗରିକମାନେ ୟୁକ୍ରେନରେ ଥିବା ଦେଶମାନଙ୍କ ସହାନୁଭୂତି ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ ଯଦି ବିଦେଶୀ ଛାତ୍ରଙ୍କ କ୍ଷେତ୍ରରେ ରୁଷ ସାହାଯ୍ୟ କରେ ତେବେ ସମସ୍ତଙ୍କୁ ନିରାପଦରେ ସ୍ଥାନାନ୍ତର କରାଯିବ। ସେ କହିଛନ୍ତି ମୁଁ ଭାରତ, ଚୀନ୍ ଏବଂ ନାଇଜେରିଆ ସରକାରଙ୍କୁ ଅନୁରୋଧ କରୁଛି ଯେ ରୁଷକୁ ଗୁଳି ଚଳାଇବା ବନ୍ଦ କରିବା ଏବଂ ସାଧାରଣ ନାଗରିକଙ୍କୁ ଯିବାକୁ ଦିବା ପାଇଁ କୁହନ୍ତୁ।

ଏହା ବ୍ୟତୀତ କୁଲେବା କହିଛନ୍ତି ଯେ ରୁଷର ଘନିଷ୍ଠ ବନ୍ଧୁ ଭାବେ ବିବେଚିତ ଭାରତ ସମେତ ସମସ୍ତ ଦେଶ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ଯୁଦ୍ଧ ବନ୍ଦ କରିବାକୁ ଅପିଲ କରିପାରିବେ । ସେ ଯୁକ୍ତି ବାଢିଛନ୍ତି ଯେ ଏହି ବିବାଦର ଅନ୍ତ ସବୁ ଦେଶର ସ୍ୱାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, “ଭାରତ ୟୁକ୍ରେନର କୃଷିଜାତ ଦ୍ରବ୍ୟର ଅନ୍ୟତମ ଗ୍ରାହକ ଅଟେ। ଯଦି ଏହି ଯୁଦ୍ଧ ଜାରି ରହେ ତେବେ ଆମ ପାଇଁ ନୂତନ ଫସଲ ଅମଳ କଷ୍ଟକର ହେବ। ବିଶ୍ୱ ତଥା ଭାରତୀୟ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଏହି ଯୁଦ୍ଧ ବନ୍ଦ କରିବା ବୃହତର ସ୍ୱାର୍ଥରେ ।

ସେ ଯୁଦ୍ଧ ବନ୍ଦ କରିବାକୁ ରୁଷ ଉପରେ ଚାପ ପ୍ରୟୋଗ କରିବାକୁ ସାଧାରଣ ଭାରତୀୟଙ୍କୁ ମଧ୍ୟ ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଏଥିପାଇଁ ଯୁଦ୍ଧ କରୁଛି କାରଣ ଆମ ଉପରେ ଆକ୍ରମଣ କରାଯାଇଛି ଏବଂ ଆମ ମାଟିକୁ ଆମେ ରକ୍ଷା କରିବାକୁ ପଡିବ । କାରଣ ପୁଟିନ ଆମର ଅସ୍ତିତ୍ବକୁ ସ୍ୱୀକାର କରୁନାହାଁନ୍ତି।