ୟୁକ୍ରେନର ଦାବି: ଯୁଦ୍ଧରେ ରୁଷର ୧୫ ହଜାରରୁ ଉର୍ଦ୍ଧ୍ବ ସୈନିକ ନିହତ | News Room Odisha

ୟୁକ୍ରେନର ଦାବି: ଯୁଦ୍ଧରେ ରୁଷର ୧୫ ହଜାରରୁ ଉର୍ଦ୍ଧ୍ବ ସୈନିକ ନିହତ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢ଼େଇର ଆଜି ହେଉଛି ୨୮ତମ ଦିନ। ଉଭୟ ପକ୍ଷ ହାର‌ ମାନିବାକୁ ନାରାଜ । ଈତି ମଧ୍ୟରେ ୟୁକ୍ରେନ ଦାବି କରିଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ୧୫,୩୦୦ ରୁଷ ସୈନିକ ନିହତ ହୋଇଛନ୍ତି। ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ଦାବି କରିଛି ଯେ ରୁଷର ମୋଟ ୯୯ ବିମାନ, ୧୨୩ ହେଲିକପ୍ଟର, ୫୦୯ ଟ୍ୟାଙ୍କ, ୨୪ ଟି ୟୁଏଭି, ୧୫ ଟି ସ୍ୱତନ୍ତ୍ର ଉପକରଣ, ୧୦୦୦ ଟି ଯାନ, ୪୫ଟି ଆଣ୍ଟି-ଏୟାରଫେୟାର ଓ୍ବାରଫେୟାର ସିଷ୍ଟମ, ୧୫୫୬ ଟି ବିଭିନ୍ନ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଛି।

ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ନିୟମିତ ବ୍ୟବଧାନରେ ଟୁଇଟ୍ କରି ଯୁଦ୍ଧରେ ରୁଷର କ୍ଷୟକ୍ଷତିର ସୂଚନା ଲଗାତାର ଦେଇଆସୁଛି। ଅବଶ୍ୟ ଏହି ତଥ୍ୟର ସତ୍ୟାସତ୍ୟ ସ୍ପଷ୍ଟ କରାଯାଇପାରିନି । ୟୁକ୍ରେନ ପକ୍ଷରୁ ହୋଇଥିବା କ୍ଷୟକ୍ଷତିର ତଥ୍ୟ ମଧ୍ୟ ଅସ୍ପଷ୍ଟ।

ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ ଶାନ୍ତି ଆଲୋଚନା କରିବାର ପ୍ରସ୍ତାବକୁ ଦୋହରାଇଛନ୍ତି। ଜେଲେନସ୍କି ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରାୟ ଏକ ମାସ ଧରି ଚାଲିଥିବା ଯୁଦ୍ଧର ସମାପ୍ତି ପାଇଁ ପୁଟିନଙ୍କ ସହ ଯେକୌଣସି ସ୍ଥାନରେ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି।