ୟୁକ୍ରେନର ଅଭିଯୋଗ: ତିନି ଲକ୍ଷ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଛି ରୁଷ | News Room Odisha

ୟୁକ୍ରେନର ଅଭିଯୋଗ: ତିନି ଲକ୍ଷ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଛି ରୁଷ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ଦୁଇ ସପ୍ତାହ ଧରି ଯୁଦ୍ଧ ଜାରି ରହିଛି। ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ୟୁକ୍ରେନ ରୁଷକୁ କଡା ଟକ୍କର ଦେଉଛି ‌| ୟୁକ୍ରେନ ଦାବି କରିଛି ଯେ ଏହା ଏପର୍ଯ୍ୟନ୍ତ ୧୧,୦୦୦ ରୁଷୀୟ ସୈନିକଙ୍କୁ ହତ୍ୟା କରିଛି | ଇତି ମଧ୍ୟରେ ରୁଷ ଉପରେ ଏକ ବଡ ଅଭିଯୋଗ ମଧ୍ୟ ଆଣିଛି ୟୁକ୍ରେନ। ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମାରିଅପୋଲରେ ରୁଷ ୩୦୦,୦୦୦ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଛି।

ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରୋ କୁଲେବା ଟ୍ୱିଟ୍ କରି କହିଛନ୍ତି, “ମାରିଅପୋଲରେ ରୁଷ ୩୦୦,୦୦୦ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଛି। ଆଇସିଆରସି ମଧ୍ୟସ୍ଥତା ସହ ଚୁକ୍ତିନାମା ସତ୍ତ୍ୱେ ଏହା ଲୋକଙ୍କୁ ସହର ଛାଡିବାକୁ ବାରଣ କରୁଛି। ଡିହାଇଡ୍ରେସନରେ ଗତକାଲି ଏକ ଶିଶୁର ମୃତ୍ୟୁ ଘଟିଛି।”

ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି, ଅସ୍ତ୍ରବିରତି ଉଲ୍ଲଂଘନ! ରୁଷର ସୈନ୍ୟବାହିନୀ ବର୍ତ୍ତମାନ ଜାପୋରିଜିଆରୁ ମାରିୟୁପୋଲ ପର୍ଯ୍ୟନ୍ତ ମାନବିକ କରିଡରକୁ ଗୁଳି ଚଳାଉଛନ୍ତି। ଜାପୋରିଜିଆରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବାକୁ ଟ୍ରକ୍ ଏବଂ ବସ୍ ପ୍ରସ୍ତୁତ | ପ୍ରତିଶ୍ରୁତି ପାଳନ କରିବା ପାଇଁ ରୁଷ ଉପରେ ଚାପ ପ୍ରୟୋଗ କରାଯିବା ଉଚିତ୍ |

ମଙ୍ଗଳବାର ମଧ ରୁଷ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ ପାଇଁ ଅସ୍ତ୍ରବିରତ ଘୋଷଣା କରିଛି । ୟୁକ୍ରେନର ଚେର୍ନିଭିଭ, କିଭ, ସୁମି, ଖାର୍କିଭ ଏବଂ ମାରିଅପୋଲରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ମସ୍କୋ ପକ୍ଷରୁ ସକାଳ ୧୦ ଟାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ସୋମବାର ୟୁକ୍ରେନ ସହ ତୃତୀୟ ରାଉଣ୍ଡ ଆଲୋଚନା ପରେ ରୁଷ ଏହି ପଦକ୍ଷେପ ନେଇଛି। ତଥାପି ଏହି ବାର୍ତ୍ତାଳାପ ମଧ୍ୟ ନିଷ୍ଫଳ ସାବ୍ୟସ୍ତ ହୋଇଥିଲା |