ଦ୍ରୁତତମ ବଲ୍ ପକାଇ ନିଜ ରେକର୍ଡ ଭାଙ୍ଗିଲେ ଉମ୍ରାନ୍ ମଲିକ | News Room Odisha

ଦ୍ରୁତତମ ବଲ୍ ପକାଇ ନିଜ ରେକର୍ଡ ଭାଙ୍ଗିଲେ ଉମ୍ରାନ୍ ମଲିକ

ନୂଆଦିଲ୍ଲୀ: ଭାରତର ପେସ୍ ସେନସେସନ୍ ଉମ୍ରାନ୍ ମଲିକ୍ ପୁଣି କ୍ରିକେଟ ପିଚରେ ନିଆଁ ଲଗାଇଛନ୍ତି । ଗୁଆହାଟିର ବାରସପାରା କ୍ରିକେଟ୍ ଷ୍ଟାଡିୟମରେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଘଣ୍ଟା ପ୍ରତି ୧୫୬ କିଲୋମିଟର ବେଗରେ ବୋଲିଂ କରି ମଲିକ ନିଜର ହିଁ ରେକର୍ଡ ଭାଙ୍ଗିଛନ୍ତି। କୌଣସି ଭାରତୀୟ ବୋଲରଙ୍କ ଦ୍ଵାରା ଏହା ହେଉଛି ଦ୍ରୁତତମ ବଲ୍ । ମଲିକ୍ ଦ୍ୱିତୀୟ ଓଭରର ପ୍ରଥମ ବଲ୍ (ଇନିଂସର ୧୪ତମ ଓଭର) ଏହି ରେକର୍ଡ କରିଥିଲେ ।

ମଲିକ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ୧୫୫ କିଲୋମିଟର ବେଗରେ ବୋଲିଂ କରି ଯଶପ୍ରୀତ ବୁମ୍ରା(୧୫୩.୩୬)ଙ୍କ ରେକର୍ଡ ଭାଙ୍ଗିଥିଲେ । ସେହି ବଲରେ ସେ ଭାରତ ପାଇଁ ବିପଦ ସାଜିଥିବା ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶନକାଙ୍କୁ ମଧ୍ୟ ଆଉଟ୍ କରିଥିଲେ ।

ଦ୍ରୁତତମ ବଲ ପକାଇବାରେ ମହମ୍ମଦ ଶାମି ତୃତୀୟ ସ୍ଥାନରେ ଅଛନ୍ତି। ସାମିଙ୍କ ସର୍ବାଧିକ ବେଗ ୧୫୩.୩ କିଲୋମିଟର ରେକର୍ଡ କରାଯାଇଥିଲା । ଏହି ତାଲିକାରେ ନବଦୀପ ସାଇନି (୧୫୨.୮୫) ଚତୁର୍ଥ ସ୍ଥାନରେ ଅଛନ୍ତି।

ମଲିକ ଏବେ ଭାରତର ସବୁଠୁ ଦ୍ରୁତତମ ବୋଲର ସାବ୍ୟସ୍ତ ହୋଇଛନ୍ତି | ସେ ଆଇପିଏଲ୍ ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ୧୫୬.୯ କିଲୋମିଟର ବେଗରେ ବୋଲିଂ କରିଥିଲେ | ନ୍ୟୁଜିଲାଣ୍ଡର ଲକି ଫର୍ଗୁସନଙ୍କ (୧୫୭.୩)ଙ୍କ ପରେ ଏହା ଆଇପିଏଲ୍ ୨୦୨୨ର ଦ୍ୱିତୀୟ ଦ୍ରୁତତମ ବଲ୍ ଥିଲା |