ପ୍ରଫେଟ୍ ବିବାଦ: ସାମ୍ପ୍ରଦାୟିକ ହିଂସା ରୋକିବାକୁ ଭାରତକୁ ଜାତିସଂଘ ମହାସଚିବ ମୁଖପାତ୍ରଙ୍କ ଅପିଲ | News Room Odisha

ପ୍ରଫେଟ୍ ବିବାଦ: ସାମ୍ପ୍ରଦାୟିକ ହିଂସା ରୋକିବାକୁ ଭାରତକୁ ଜାତିସଂଘ ମହାସଚିବ ମୁଖପାତ୍ରଙ୍କ ଅପିଲ

ଜାତିସଂଘ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଭାରତରେ ଜାରି ବିକ୍ଷୋଭ ପ୍ରଦର୍ଶନ ଓ କିଛି ସ୍ଥାନରେ ହିଂସା ନେଇ ଜାତିସଂଘ ଉଦବେଗ ପ୍ରକାଶ କରିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଦେଶରେ ସାମ୍ପ୍ରଦାୟିକ ହିଂସା ରୋକିବା ପାଇଁ ଭାରତକୁ ଅପିଲ କରିଛନ୍ତି ।

ଜାତିସଂଘ ମହାସଚିବ ମୁଖପାତ୍ର ଷ୍ଟେଫେନ୍ ଡୁଜାରିକ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସବୁ ଧର୍ମ ପ୍ରତି ପୂର୍ଣ୍ଣ ସମ୍ମାନ ପ୍ରଦର୍ଶନ କରିବାକୁ ଗୁଟେରସ ଗୁରୁତ୍ୱାରୋପ କରିଛନ୍ତି ।

ପ୍ରଫେଟ୍ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପରେ ଜାତିସଂଘର ଆଭିମୁଖ୍ୟ ବିଷୟରେ ପଚରାଯିବାରୁ ଡୁଜାରିକ୍ କହିଛନ୍ତି ଯେ ଧର୍ମକୁ ସମ୍ପୂର୍ଣ୍ଣ ସମ୍ମାନ ଦେବା ସହ କୌଣସି ପ୍ରକାରର ଘୃଣ୍ୟ ଭାଷଣ ତଥା ଉତ୍ତେଜନା ରୋକିବା ହେଉଛି ଆମର ଉଦ୍ଦେଶ୍ୟ। ବିଶେଷକରି ଧାର୍ମିକ ମତଭେଦ ତଦ ଘୃଣା ଆଧାରିତ ହିଂସା ବନ୍ଦ କରିବା ହେଉଛି ଆମର ଲକ୍ଷ୍ୟ।

ସୂଚନାଯୋଗ୍ୟ ଯେ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ବିଜେପି ଏହାର ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ନିଲମ୍ବିତ କରିଥିଲା। ଏହା ସହିତ ଦିଲ୍ଲୀର ମିଡିଆ ୟୁନିଟ୍ ମୁଖ୍ୟ ନବୀନ କୁମାରଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।