ଜାତିସଂଘ ରିପୋର୍ଟର ଆକଳନ, ୨୦୨୩ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିଯିବ ଭାରତ | News Room Odisha

ଜାତିସଂଘ ରିପୋର୍ଟର ଆକଳନ, ୨୦୨୩ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିଯିବ ଭାରତ

ନୂଆଦିଲ୍ଲୀ: ଚୀନ୍ ଏବଂ ଭାରତ ହେଉଛି ବିଶ୍ୱର ଦୁଇ ଜନବହୁଳ ଦେଶ। ବର୍ତ୍ତମାନ ଚୀନ୍ ଏହି ମାମଲାରେ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଏ ବାବଦରେ ମିଳିତ ଜାତିସଂଘର ଏକ ନୂଆ ରିପୋର୍ଟ ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି । ଜାତିସଂଘ ରିପୋର୍ଟ ଅନୁଯାୟୀ, ଜନସଂଖ୍ୟା ଦୃଷ୍ଟିରୁ ଆସନ୍ତା ବର୍ଷ ସୁଦ୍ଧା ଭାରତ ଚୀନ୍‌କୁ ପଛରେ ପକାଇ ଦେବ ।

ମିଳିତ ଜାତିସଂଘ ସୋମବାର ‘ବିଶ୍ୱ ଜନସଂଖ୍ୟା ଦିବସ’ ଅବସରରେ ଏହି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୨ ମଧ୍ୟଭାଗରେ ବିଶ୍ବର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ମହାଦେଶ ଗୁଡ଼ିକ ମଧ୍ୟରେ ଏସିଆ ୪୭୦ କୋଟି ଜନସଂଖ୍ୟା ସହିତ ଶୀର୍ଷରେ ଅଛି | କେବଳ ଏସିଆରେ ହିଁ ବିଶ୍ୱର ୬୧ ପ୍ରତିଶତ ଲୋକ ବାସ କରନ୍ତି | ଏସିଆ ପରେ ଆଫ୍ରିକାର ଜନସଂଖ୍ୟା ହେଉଛି ୧୩୦ କୋଟି ଅର୍ଥାତ୍ ବିଶ୍ବର ୧୭ ପ୍ରତିଶତ । ଏତଦ୍ ବ୍ୟତୀତ, ୭୫ କୋଟି ତଥା ବିଶ୍ବ ଜନସଂଖ୍ୟାର ୧୦ ପ୍ରତିଶତ ଲୋକ ୟୁରୋପରେ ରହୁଥିବା ବେଳେ ଲାଟିନ୍ ଆମେରିକା ଏବଂ କାରିବିୟାନରେ ୬୫ କୋଟି ବା ୮ ପ୍ରତିଶତ ଲୋକ ବସବାସ କରନ୍ତି । ଉତ୍ତର ଆମେରିକାରେ ଜନସଂଖ୍ୟା ୩୭ କୋଟି ଥିବା ବେଳେ ଓସେନିଆରେ ୪୩ କୋଟି ଲୋକ ବାସ କରନ୍ତି।

୨୦୧୯ ତଥ୍ୟ ଅନୁଯାୟୀ ଚୀନ୍ ବର୍ତ୍ତମାନ ୧୪୪ କୋଟି ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ଥିବାବେଳେ ୧୩୯ କୋଟି ଲୋକ ସହ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି । ବିଶ୍ୱ ଜନସଂଖ୍ୟାର ୧୯% ଲୋକ ଚୀନରେ ଏବଂ ୧୮% ଲୋକ ଭାରତର ବାସ କରନ୍ତି । ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନକୁ ଟପିଯିବ । ରିପୋର୍ଟରେ କୁହାଯାଇଛି ଯେ ୨୦୧୯ ରୁ ୨୦୫୦ ମଧ୍ୟରେ ଚୀନର ଜନସଂଖ୍ୟା ୩୧.୪ କୋଟି ତଥା ପ୍ରାୟ ୨.୨ ପ୍ରତିଶତ ହ୍ରାସ ପାଇବ ।

ରିପୋର୍ଟରେ କୁହାଯାଇଛି ଯେ ଅନେକ ବିକାଶଶୀଳ ଦେଶରେ ଜନ୍ମ ହାର ହ୍ରାସ ପାଇଥିଲେ ମଧ୍ୟ କେତେକ ଦେଶରେ ଏହି ହାର ବୃଦ୍ଧି ପାଉଛି | ରିପୋର୍ଟ ଅନୁଯାୟୀ, ଜନସଂଖ୍ୟା ବୃଦ୍ଧିରେ କେବଳ ୮ଟି ଦେଶର ୫୦ ପ୍ରତିଶତରୁ ଅଧିକ ଯୋଗଦାନ ରହିବ। ଏବଂ ଏହି ୮ଟି ଦେଶ ଏସିଆ ଏବଂ ଆଫ୍ରିକାର ହେବେ । ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ଆଗାମୀ ଆଠ ବର୍ଷ ମଧ୍ୟରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ । ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଇଜିପ୍ଟ, ଇଥିଓପିଆ, ଭାରତ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଏବଂ ତାଞ୍ଜାନିଆ ଭଳି ଦେଶରେ ଜନସଂଖ୍ୟା ବଢ଼ିବ।